Unknown

 

 

 

 

 

 

 

 

 

 

 

 

କନିକା ଦର୍ଶନ

ଶ୍ରୀ ଶଶିଭୂଷଣ ରାୟ

 

ଉତ୍କଳ ସାହିତ୍ୟର ଅକୃତ୍ରିମ ସୁହୃତ୍‌

ତାଳଚେରାଧୀଶ ରାଜା ଶ୍ରୀ କିଶୋରଚନ୍ଦ୍ର

ବୀରବର ହରିଚନ୍ଦନ ମହୋଦୟ

ଶ୍ରୀକରକମଳେଷୁ ।

 

ଶ୍ରୀମନୁହାରାଜ,

 

କନିକା ରାଜବଂଶ ଏବଂ ରାଜ୍ୟ ସହିତ ଆପଣଙ୍କର ଘନିଷ୍ଠ ସମ୍ପର୍କ । ଏହି ରାଜ୍ୟର ସମଗ୍ର ଅଂଶ ଆପଣ ତନ୍ନ ତନ୍ନ କରି ଭ୍ରମଣ କରିଅଛନ୍ତି । ମୁଁ ଅଳ୍ପଦିନ ମଧ୍ୟରେ ଏହି ରାଜ୍ୟର କେତେକାଂଶ ଦେଖିଥିଲି, ବର୍ତ୍ତମାନ ତହିଁର ଅତ୍ୟଳ୍ପ ବର୍ଣ୍ଣନାତ୍ମକ ପୁସ୍ତକ ଖଣ୍ଡିକ ଆପଣଙ୍କ ଶ୍ରୀକରରେ ଭକ୍ତିଶ୍ରଦ୍ଧାର ନିଦର୍ଶନ ସ୍ୱରୂପ ଅର୍ପଣ କଲି । ଏହା ଥରେ ପାଠ କରିବା ହେବେ । ଶିଷ୍ଟାଚାର ସମ୍ଭୁତ ଏହି ଅନୁରୋଧରେ ସାହସୀ ହେବାର ମୋହର ଅଧିକାର ଅଛି ।

 

କାଳୀଗଳି, କଟକ

ଅନୁମତି-ବାଧ୍ୟ

୨୪-୨-୧୩

ଶ୍ରୀ ଶଶିଭୂଷଣ

Image

 

ଯେଉଁଦିନ କନିକାଧୀଶ୍ୱର ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଙ୍କ ସ୍ନେହସୂତ୍ରରେ ଆକୃଷ୍ଟ ହୋଇ ତାହାଙ୍କ ସମଭିବ୍ୟାହାରରେ ରାଜକନିକା ଗଡ଼କୁ ଯିବା ସକାଶେ କଟକ ଯୋବରା ଘାଟଠାରେ ‘‘ବଳରାମ’’ ଷ୍ଟିମର ଆରୋହଣ କଲି, ସେହିଦିନଟି ମୋହର ସ୍ମୃତିର ଚିରସମ୍ପତ୍ତି ହୋଇ ରହିବ ।

 

୧୫ ତାରିଖ ସେପ୍ଟେମ୍ୱର ପୂର୍ବାହ୍ନ ୯ ଘଟିକାରେ ଷ୍ଟିମର ଛାଡ଼ିଲା । ବର୍ଷାବାରିସ୍ପୀତ କୂଳପ୍ଳାବୀ ମହାନଦୀ ଆଜି ଶରତ୍‌-କୃଶା, ତେଣେ ‘‘ଜରତୀ ବରଷାର ଧବଳ ଜଟା’’ ରୂପ ‘‘କାଶକୁସୁମ’’ରେ ଏହାର ବକ୍ଷ ଶୁଭ୍ରୀକୃତ । ବାୟୁଲହରୀ ଏହି ‘‘କାଶ-ଚାମର’’ ସମୂହକୁ ସର୍ବଦା ଆନ୍ଦୋଳନ କରିବାକୁ ଅଜସ୍ର ବ୍ୟସ୍ତ ।

 

ମହାନଦୀର ଶାଖା ବିରୂପା ଅତିକ୍ରମ କରି ଷ୍ଟିମର ଜଗତ୍‌ପୁର ଲକ୍‌ରେ ପହଞ୍ଚିଲା । ଯେଉଁମାନେ ଷ୍ଟିମର ଆରୋହଣ କରି କେନାଲରେ ଚାନ୍ଦବାଲି ଯାଇଅଛନ୍ତି, ସେମାନଙ୍କୁ ପଥର ପରିଚୟ ଦେବା ଚର୍ବିତଚର୍ବଣ ମାତ୍ର । ମୁଁ ଅନେକ ଥର ଏହି କେନାଲ ମାର୍ଗରେ ନାନାସ୍ଥାନକୁ ଯାଇଅଛି, ସୁତରାଂ ଏହି ପୂର୍ବପରିଚିତ କେନାଲ ମାର୍ଗ ମୋ ପକ୍ଷରେ ନୂତନ ନୁହେ, ମାତ୍ର ଆଜି କାଲିର ‘‘ରେଲ-ଯୁଗରେ’’ ଏହାର ନୂତନତ୍ୱ ସମୟ ସମୟରେ ଉପଲବ୍ଧି କରିବା ମଧ୍ୟ ବିଚିତ୍ର ନୁହେ-। ଏହି ହେତୁରୁ ଆଜି ମୋତେ ଏହା ନୂତନ ବୋଧ ହେଉଥିଲା ।

 

କନିକାଧୀଶ ରାଜେନ୍ଦ୍ରନାରାୟଣଙ୍କ ହୃଦୟ ନିତାନ୍ତ ସ୍ନେହପ୍ରବଣ । ଏହି ସ୍ନେହପ୍ରବଣତା ହେତୁରୁ ଷ୍ଟିମର ଡେକରେ ବସି ସେ ଗଳ୍ପରେ ମୋତେ ଅସ୍ଥିର କରିଦେଲେ । ‘‘ଦିବାନିଦ୍ରା’’ ନିତାନ୍ତ ଦୋଷାବହ, ଏହା ମୁଁ ଉତ୍ତମରୂପେ ଅବଗତ ହେଲେହେଁ ଅନ୍ୟାନ୍ୟ ଅନେକଙ୍କ ପରି ମୁଁ ଏଥିରେ ଆସକ୍ତ । ମାତ୍ର ରାଜେନ୍ଦ୍ରନାରାୟଣଙ୍କ କବଳରୁ ମୁକ୍ତି ପାଇ ଏହି ‘‘ଦିବାନିଦ୍ରା’’ର ସେବା କରିବା ମୋ ପକ୍ଷରେ ଆଜି ନିତାନ୍ତ କଠିନ ହେଲା । ଅଗତ୍ୟା ବାଧ୍ୟ ହୋଇ କେନାଲର ଉଭୟ ପାର୍ଶ୍ୱସ୍ଥିତ ଦୃଶ୍ୟସମୂହର ସମାଲୋଚନା କରୁଁ କରୁଁ ଅପରାହ୍‍ଣ ହୋଇଗଲା । ଏଣେ ଷ୍ଟିମରଟି ବାରବୋଡ଼ିଆ, କେନ୍ଦୁପାଟଣା, ଲୋକନାଥପୁର ପ୍ରଭୃତି ଲକ୍‌ ସମୂହ ଅତିକ୍ରମ କରି ଦାନପୁର ଲକ୍‌ରେ ସନ୍ଧ୍ୟା ସମୟରେ ଉପସ୍ଥିତ ହେଲା ।

 

କେନ୍ଦୁପାଟଣା ଓ ଦାନପୁର ଲକ୍‌ ନିକଟରେ ଝୋଟର ପ୍ରକାଣ୍ଡ ପ୍ରକାଣ୍ଡ ଗୋଦାମମାନ ରହିଅଛି । କଲିକତାର ବଡ଼ ବଡ଼ ବ୍ୟବସାୟୀମାନେ ଗୋଦାମ ସ୍ଥାପନ କରି ସ୍ଥାନୀୟ ପ୍ରଜାମାନଙ୍କୁ ଅଗ୍ରିମ ଟଙ୍କା ଦେଇ ଝୋଟ ଚାଷରେ ଅଧିକ ପରିଶ୍ରମ କରିବାକୁ ପ୍ରବୃତ୍ତି ଦେଉଅଛନ୍ତି ଏବଂ ଏଥିରେ ମଧ୍ୟ କୃତକାର୍ଯ୍ୟ ହେଉଅଛନ୍ତି । ଏ ଦୃଶ୍ୟ ଅନେକଙ୍କୁ ନେତ୍ରତୃପ୍ତିକର ବୋଧ ହେବ, ମାତ୍ର କେଜାଣି କାହିଁକି ମୋତେ ଭଲ ବୋଧ ହେଲା ନାହିଁ । ଝୋଟ ଚାଷରେ ପ୍ରଜାମାନେ ଧନୀ ହୋଇପାରନ୍ତି, ମାତ୍ର ରୋଗ-ଜର୍ଜରିତ ଧନୀ ଅପେକ୍ଷା ସୁସ୍ଥକାୟ ଦରିଦ୍ର ଭଲ ନୁହେ କି ? ଚତୁର୍ଦ୍ଦିଗରେ ଝୋଟ ଚାଷ ଏବଂ ଏହି ଝୋଟ ପାଣିରେ ପଡ଼ିଥିବା ହେତୁ ଅଧିକାଂଶ ସ୍ଥଳ ବିକଟ ଦୁର୍ଗନ୍ଧପୂର୍ଣ୍ଣ । ଷ୍ଟିମରର ଗତିବେଳେ ସମସ୍ତଙ୍କୁ ଏହି ବିକଟ ଦୁର୍ଗନ୍ଧର ଆଘ୍ରାଣ ନେବାକୁ ହୁଏ । ବଙ୍ଗଦେଶର ଅଧିକାଂଶ ସ୍ଥଳରେ ଏହିଝୋଟ ଚାଷ ହେତୁ ମ୍ୟାଲେରିଆ ଜ୍ୱରର ଉତ୍ପତ୍ତି ଏବଂ ଏହି ଭୟଙ୍କର ଜ୍ୱର ପ୍ରଭାବରୁ ବଙ୍ଗଦେଶର ଅଭ୍ୟନ୍ତର ଧ୍ୱଂସପ୍ରାୟ କହିଲେ ଅତ୍ୟୁକ୍ତିର ଆଶଙ୍କା ନାହିଁ । ସୁତରାଂ ଏହି ଝୋଟ ଚାଷ ହେତୁରୁ ଏହି ସବୁ ଅଞ୍ଚଳରେ ଯେବେ କ୍ରମଶଃ ମ୍ୟାଲେରିଆର ପ୍ରସାର ବଢ଼େ, ତେବେ ଦରିଦ୍ର ପ୍ରଜାମାନଙ୍କ ଧନଲିପ୍‍ସାସମ୍ଭୂତ ଏହି ଝୋଟ ଚାଷ ଉତ୍କଳ ପକ୍ଷରେ ମହା କ୍ଷତିକର ହେବ ବୋଲି ମୋହର ଧ୍ରୁବ ଧାରଣା ।

 

ଶ୍ରାନ୍ତ ପ୍ରକୃତିର ଘନ ନୀରବତାକୁ ଶବ୍ଦମୁଖରତାରେ ବିଜୟ କରି ‘‘ବଳରାମ’’ ଷ୍ଟିମର ପ୍ରଧାବିତ ହେଲା । ସେ ଦିନର ଗୋଧୂଳି-ସନ୍ଧ୍ୟାରେ ଦିକ୍‌ ଚକ୍ରବାଳ-ସୀମାରେ ସାନ୍ଧ୍ୟ ମେଘର ଗାଢ଼ ଅନ୍ଧକାର ଅନନ୍ତରାଜ୍ୟ ଅଧିକାର କରିଥିଲା । ଅଳ୍ପକ୍ଷଣ ଉତ୍ତାରୁ ପଞ୍ଚମୀଚନ୍ଦ୍ର ମେଘର ଆଲିଙ୍ଗନ ବିମୁକ୍ତ ହୋଇ ସ୍ୱୀୟ କିରଣ ବିଞ୍ଚିଲେ । ମେଘାନ୍ଧକାର ମୁକ୍ତ ପ୍ରାନ୍ତର ଛାଡ଼ି କୁଞ୍ଜାନ୍ତରାଳରେ ବୃକ୍ଷର ଘନୀଭୂତ ଶାଖାରେ ଅବସ୍ଥାନ କଲାବେଳେ ଚନ୍ଦ୍ରକିରଣ ତାହାକୁ ସାଦର ଆଲିଙ୍ଗନରେ ଜ୍ୟୋତ୍ସ୍ନାରେ ପରିବର୍ତ୍ତିତ କଲା ।

 

କ୍ରମେ କ୍ରମେ ରାତ୍ରି ୧୦ ଘଟିକା ଉତ୍ତାରୁ ଷ୍ଟିମର ‘‘ପବିତ୍ର ତୁଳସୀକ୍ଷେତ୍ର’’ (କେନ୍ଦ୍ରାପଡ଼ା) ଅତିକ୍ରମ କଲା । ଆମ୍ଭେମାନେ ନିଦ୍ରାଦେବୀଙ୍କ ଅଙ୍କରେ ଆଶ୍ରୟ ନେଲୁଁ ।

 

ଅତି ପ୍ରତ୍ୟୁଷରୁ ଷ୍ଟିମର ଆଲଭା ଲକ୍‌ ପାରିହୋଇ ବ୍ରାହ୍ମଣୀ ନଦୀରେ ପଡ଼ିଲା । ଏହିଠାରୁ ସମସ୍ତ ପଥ ନଦୀରେ ଅତିବାହିତ କରିବାକୁ ହେବ । କ୍ରମଶଃ ବ୍ରାହ୍ମଣୀ ନଦୀର ଏକ ପାର୍ଶ୍ୱରେ ଆଳି ରାଜ୍ୟ, ଅପର ପାର୍ଶ୍ୱରେ କନିକା ରାଜ୍ୟ ପଡ଼ିଲା । ନଦୀର ପ୍ରସାର କ୍ରମେ ବଢ଼ିଲା ଏବଂ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀଦ୍ୱୟର ସଙ୍ଗମ ଉତ୍ତାରୁ ନଦୀର ପ୍ରସାର ସ୍ଥାନେ ସ୍ଥାନେ ଦୁଇ ମାଇଲରୁ ତିନି ମାଇଲ ପର୍ଯ୍ୟନ୍ତ ଅନୁମିତ ହେଲା । ପିଲାଦିନେ ପରମାରାଧ୍ୟ ୰ପିତୃଦେବଙ୍କ ନିକଟରୁ ଘଡ଼ିଆମାଳ ନଦୀର ଭୀଷଣତା ସମ୍ୱନ୍ଧରେ ଅନେକ ଥର ଶୁଣିଥିଲି, ଥରେ ମଧ୍ୟ ଷ୍ଟିମରରେ ଯିବାବେଳେ ଦେଖିଥିଲି, ମାତ୍ର ଆଜି ଦେଖି ଏହାର ଭୀଷଣସୌନ୍ଦର୍ଯ୍ୟ ଉପଲବ୍ଧି କଲି । ତରଙ୍ଗସମାକୁଳ ସୁବିସ୍ତୀର୍ଣ୍ଣ ବାରିରାଶି ଘେନି ଏହି ଘଡ଼ିଆମାଳ ନଦୀ ଦୁର୍ଗାପୁରଠାରେ ବୈତରଣୀ ନଦୀ ସହିତ ମିଶି ଧାମରାମୁହାଣ ନାମ ଧାରଣ କରି ସମୁଦ୍ରରେ ନିଜର ଅସ୍ତିତ୍ୱ ଲୋପ କରି ଦେଇଅଛି ।

 

ଦୁର୍ଗାପୁରଠାରୁ ଆମ୍ଭେମାନେ ଘଡ଼ିଆମାଳ ନଦୀରୁ ବୈତରଣୀରେ ପ୍ରବେଶ କଲୁଁ । ଅପରାହ୍ଣ ୧ଘଟିକା ସମୟରେ ଉତ୍କଳର ସର୍ବପ୍ରଧାନ ବନ୍ଦର ଚାନ୍ଦବାଲିର ଘାଟରେ ଷ୍ଟିମର ଲାଗିଲା-। ପ୍ରକାଣ୍ଡ ଜଳ-ଦୈତ୍ୟସ୍ୱରୂପ ସମୁଦ୍ରଗାମୀ ଷ୍ଟିମର ‘‘ଯାତ୍ରା’’ ଏଠାରେ ରହିଥିବାର ଦେଖିଲୁ-। ବ୍ୟବସାୟପ୍ରସୂତ କାର୍ଯ୍ୟବ୍ୟସ୍ତତା ଏଠାରେ ସର୍ବଦା ସଜୀବ ରହିଅଛି ।

 

ଚାନ୍ଦବାଲିର ଅପର ପାରିରେ ରାଜ-କନିକା ଯିବାର ମାର୍ଗ । ଏହି ମାର୍ଗରେ ୩ ମାଇଲ ଗଲେ ରାଜ-କନିକା ଗଡ଼ । ଏହି ରାଜ କନିକାର ପୂର୍ବନାମ ଗଞ୍ଜା ଥିଲା । ଆଜିକାଲି ମଧ୍ୟ ରାଜକନିକାର ଅଦୂରରେ ଗଞ୍ଜା ଗ୍ରାମ ବିଦ୍ୟମାନ । କନିକାଧୀଶଙ୍କ ଯତ୍ନରୁ ଏଠାରେ ଶାସନ ଏବଂ ସୁବିଧାର ଉପଯୋଗୀ ସମସ୍ତ ବିଭାଗ ପ୍ରତିଷ୍ଠିତ ହୋଇ ଏହାର ନାମ ‘‘ରାଜ-କନିକା’’ ହୋଇଅଛି ।

 

ଆମ୍ଭେମାନେ ଷ୍ଟିମରରୁ ଅବତରଣ କରି ରାଜ-କନିକାରୁ ଆସିଥିବା ଟମ୍‌ଟମ୍‌ ଗାଡ଼ିରେ ଆରୋହଣ କଲୁଁ । ଟମ୍‌ଟମ୍‌ ଯେଉଁ ମାର୍ଗରେ ଚାଲିଲା, ସେହି ୩ ମାଇଲ ମାର୍ଗ ପ୍ରସ୍ତୁତ କରିବାକୁ ଗବର୍ଣ୍ଣମେଣ୍ଟ, ଡିଷ୍ଟ୍ରିକ୍ଟବୋର୍ଡ଼ ଓ କନିକା ରାଜ୍ୟର ପ୍ରାୟ ୨୪ ସହସ୍ର ମୁଦ୍ରା ବ୍ୟୟ ହୋଇଅଛି । ବ୍ୟୟାଧିକ୍ୟର କାରଣ ପଥର ଏବଂ ଗୋଡ଼ିର ଅଭାବ । ପ୍ରାୟ ୧୦୦ ମାଇଲ ଦୂରରୁ ପଥର ଏବଂ ୫୦।୬୦ ମାଇଲ ଦୂରରୁ ଗୋଡ଼ି ଆସି ଏହି ମାର୍ଗ ପ୍ରସ୍ତୁତ ହୋଇଅଛି ।

 

ଟମ୍‌ଟମ୍‌ରେ ଯାଉଁ ଯାଉଁ କନିକାଧୀଶଙ୍କ ନବ ନିର୍ମିତ ନବର ସ୍ପଷ୍ଟରୁ ସ୍ପଷ୍ଟତର ଦିଶିଲା, ଚାହୁଁ ଚାହୁଁ ଆମ୍ଭେମାନେ ନବର ମଧ୍ୟରେ ପ୍ରବେଶ କଲୁଁ । ଏଠାରେ କନିକାରାଜ୍ୟର ପ୍ରବୀଣ ଏବଂ ସର୍ବଶ୍ରେଷ୍ଠ କର୍ମଚାରୀଦ୍ୱୟ—ବାବୁ ଜୟରାମ ଦାସ ଏବଂ ବାବୁ ଇନ୍ଦ୍ରମଣି ମହାନ୍ତି ଉଭୟେ ଅଭ୍ୟର୍ଥନା ସକାଶେ ଉପସ୍ଥିତ ଥିଲେ । ଜୟରାମ ବାବୁ କନିକାଧୀଶଙ୍କ ବାଲ୍ୟଗୁରୁ,—ବର୍ତ୍ତମାନ ଗୁରୁଦକ୍ଷିଣା ରୂପେ ମ୍ୟାନେଜର କର୍ମରେ ନିଯୁକ୍ତ ଏବଂ ଇନ୍ଦ୍ରମଣି ବାବୁ ଅନେକଦିନର ବିଶ୍ୱସ୍ତ କର୍ମଚାରୀ—ବର୍ତ୍ତମାନ ସୁପରିଣ୍ଟେଣ୍ଡେଣ୍ଟ କର୍ମ କରୁଅଛନ୍ତି । ଉଭୟେ ହିଁ ରାଜ୍ୟର ପୂର୍ଣ୍ଣହିତାକାଙ୍କ୍ଷୀ ଏବଂ ରାଜା ମହୋଦୟଙ୍କର ସୁଯୋଗ୍ୟ ଉପଦେଷ୍ଟା ।

 

ଏହି ନବନିର୍ମିତ ନବରର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ, ମାତ୍ର ଆଜି ପର୍ଯ୍ୟନ୍ତ ଯାହା ହୋଇଅଛି, ଦେଖିଲେ ଏହାକୁ ଉତ୍କଳରେ ଶ୍ରେଷ୍ଠତମ ସୌଧ ଆଖ୍ୟା ପ୍ରଦତ୍ତ ହୋଇପାରେ । ରାଜାମହୋଦୟ ତିନିଥର ବିଲାତ ଯାଇ ସମସ୍ତ ଇଉରୋପ ପରିଭ୍ରମଣ କରି ନିଜର ବହୁଦର୍ଶିତାରେ ଏହି ପ୍ରକାଣ୍ଡ ପ୍ରାସାଦ ନିର୍ମାଣ କରୁଅଛନ୍ତି । ସୁତରାଂ ରୁଚି, ଗଠନପ୍ରଣାଳୀ ଏବଂ ସଜ୍ଜାରେ ଏହା ଯେ ସର୍ବୋତ୍କୃଷ୍ଟ ହେବ, ଏଥିରେ ସନ୍ଦେହ କଣ ? ପ୍ରସାଦଟି ତ୍ରିତଳ; ପ୍ରତ୍ୟେକ ତଳହିଁ ଖୁବ୍‍ ଉଚ୍ଚ, ହର୍ମ୍ୟତଳଗୁଡ଼ିକ ମର୍ମର ପ୍ରସ୍ତରରେ ଆଚ୍ଛାଦିତ, ଦ୍ୱାରର କବାଟଗୁଡ଼ିକ ବିଚିତ୍ରଭୂଷଣ କାଚରେ ଆଚ୍ଛାଦିତ । ପ୍ରତ୍ୟେକ ଗୃହର ସଜ୍ଜା ବିଭିନ୍ନ ପ୍ରଣାଳୀର ଏବଂ ଆଧୁନିକ ରୁଚିର ପରାକଷ୍ଠା ଘୋଷଣା କରୁଅଛି । ସୌଧଚୂଡ଼ା (tower) ବର୍ତ୍ତମାନ ୬୩ ଫୁଟ ଉଚ୍ଚ ହୋଇଅଛି, କିନ୍ତୁ ୯୦ ଫୁଟ ଉଚ୍ଚ ପର୍ଯ୍ୟନ୍ତ ଉଠିବ । ଉପରର କାର୍ଯ୍ୟ ଶେଷ ହୋଇନାହିଁ—ଶେଷ ହେବାକୁ ଆହୁରି ଏକବର୍ଷ ଲାଗିବ-। ଏଠାରେ ଖଣ୍ତିଏ ପଥର ଏଠାରୁ ଶତମାଇଲ ଦୂରବର୍ତ୍ତୀ ନରାଜଠାରୁ ଆସି ଏହି ପ୍ରକାଣ୍ତ ସୌଧ ନିର୍ମିତ ହୋଇଅଛି । ସୁତରାଂ ପରିଶ୍ରମ ଏବଂ ଅର୍ଥବ୍ୟୟ ଅତିରିକ୍ତ ମାତ୍ରାରେ ଆବଶ୍ୟକ ହୋଇଅଛି-। ଜଣେ ଇଞ୍ଜିନିୟର ଏହି କାର୍ଯ୍ୟରେ ନିଯୁକ୍ତି ଅଛନ୍ତି ସତ୍ୟ, ମାତ୍ର ରାଜାଙ୍କ ରୁଚି ଅନୁରୂପ ଏହି କାର୍ଯ୍ୟ ଚାଲିଅଛି । ଅନେକ ଅଂଶ ନିର୍ମିତ ହେବା ପରେ ଭାଙ୍ଗି ଦିଆଯାଉଅଛି, ପୁଣି ସେହି ଭଗ୍ନାଂଶ ଉତ୍କୃଷ୍ଟ ରୁଚି ଅନୁସାରେ ପୁନର୍ଗିଠିତ ହେଉଅଛି । ସୌଧଚୂଡ଼ା ଉପରୁ ବିଶାଳ ଦୃଶ୍ୟ ଦେଖିଲେ ହୃଦୟ ପୁଲକିତ ହୁଏ ଏବଂ ପ୍ରକୃତିର ବିଚିତ୍ର ସୌନ୍ଦର୍ଯ୍ୟନିଚୟ ଆସ୍ୱାଦନର ପୂର୍ଣ୍ଣ ସୁଯୋଗ ମିଳେ-। ଏହା ଉପରୁ ନୀଳଗିରିର ‘‘ସ୍ୱର୍ଣ୍ଣଚୂଡ଼ା’’, ‘‘ମହମାଳା’’, ‘‘ଦନ୍ତୁର’’ ପର୍ବତସମୂହ, ମୟୂରଭଞ୍ଜର ‘‘ମେଘାସନ’’ ‘‘ଶିମିଳିପାଳ’’ ଗିରିଶ୍ରୋଣୀ, କପ୍ତିପଦାର ‘‘ଶାରୀଶୁଆ’’ କେନ୍ଦୁଝରର କେତେକ ଅପ୍ରସିଦ୍ଧ ପର୍ବତମାଳା ସୁକିନ୍ଦାର ‘‘ଟମକା’’ ପର୍ବତ, ଦର୍ପଣୀର ‘‘ମହାବିନାୟକ’’ ଏବଂ ‘‘ଚନ୍ଦନମଞ୍ଜୁଳ ଆଳତୀ’’ ଗିରିସ୍ପଷ୍ଟ ଦେଖିଲି । ପ୍ରତ୍ୟେକ ପର୍ବତ ଏବଂ ପାହାଡ଼ ମୋହର ଚିରପରିଚିତ, ସୁତରାଂ ଚିହ୍ନିବାକୁ ଆଦୌ କଷ୍ଟ ହୋଇନାହିଁ । ଏଠାରେ ଲୋକ ଏତେଗୁଡ଼ିଏ ରାଜ୍ୟର ପର୍ବତସମୂହ ଏଠାରୁ ଏପରି ଦିଶିବ ବୋଲି ଭାବି ନ ଥିଲେ । ମୁଁ ରାଜା ମହୋଦୟଙ୍କୁ ଚିହ୍ନାଇ ଦେବାରୁ ସମସ୍ତେ ବିଶ୍ୱାସ କଲେ । ପର୍ବତମାଳା ନିକଟରୁ ଅନୂପ ପ୍ରଦେଶ ସମୁଦ୍ର ପର୍ଯ୍ୟନ୍ତ ଆସିଅଛି—ସୁତରାଂ ବିସ୍ତୀର୍ଣ୍ଣ ଧାନ୍ୟକ୍ଷେତ୍ରର ଅପୂର୍ବ ହରିତ୍‍ ଶୋଭା । ଏ ହରିତ୍‌ ସୌନ୍ଦର୍ଯ୍ୟର ପଟାନ୍ତର ନାହିଁ । ଏକଆଡ଼େ ପୂର୍ବବର୍ତ୍ତୀ ପର୍ବତ ମାଳା, ଅପରଆଡ଼େ ପ୍ରାୟ ୪୦ ମାଇଲ ବ୍ୟାପୀ ପ୍ରକାଣ୍ଡ ହରିତ୍‌ ତରଙ୍ଗାୟିତ ଧାନ୍ୟକ୍ଷେତ୍ର ଦେଖିଲେ ମନରେ ଯେଉଁ ଭାବର ଉଦୟ ହୁଏ, ତାହା ପ୍ରକାଶ କରିବାକୁ କ୍ଷୁଦ୍ର ଲେଖନୀ ସମ୍ପୂର୍ଣ୍ଣ ଅସମର୍ଥ । ଅନେକ କ୍ଷଣ ବିଭ୍ରାନ୍ତନୟନରେ ମୁଁ ଏହି ଦୃଶ୍ୟ ଦେଖୁଁ ଦେଖୁଁ ଆତ୍ମବିସ୍ମୃତ ହୋଇଗଲି ଏବଂ କବିତା-ସମୁଦ୍ର-ନିହିତ ଶୋଭାମାଧୁର୍ଯ୍ୟ ଆଲୋଡ଼ିତ, ମଥିତ, ଚୟିତ ଏବଂ ଗ୍ରଥିତ କରି ଯେଉଁ ସୁଖକଳ୍ପନାର ମୋହନ ଚିତ୍ର ମୋହର ମାନସପଟରେ ପ୍ରତିଫଳିତ ହେଉଥିଲା, ତାହା ସୌନ୍ଦର୍ଯ୍ୟାନୁରାଗମତ୍ତ କବିଙ୍କରହିଁ ଉପଭୋଗ୍ୟ, ମୋହ ଭଳି ଅକବି ପକ୍ଷରେ ବିଡ଼ମ୍ୱନା ମାତ୍ର !! ଦୁଇ ଦିନ ଆମୋଦରେ ଅତିବାହିତ ହେଲା । ରାଜା କଚେରୀ, ନବନିର୍ମିତ ମାଇନର ସ୍କୁଲ; ପଦ୍ମନାଭ ଟୋଲ, ଡାକବଙ୍ଗଳା, ଡାକ୍ତରଖାନା ପ୍ରଭୃତି ଦେଖିଲି । କଚେରୀ ଅତ୍ୟନ୍ତ ବୃହତ୍‌ ଏବଂ ପ୍ରତ୍ୟେକ ବିଭାଗର କାର୍ଯ୍ୟ ଶୃଙ୍ଖଳାବଦ୍ଧ ରୂପେ ନିୟନ୍ତ୍ରିତ । କଚେରୀର କାର୍ଯ୍ୟପ୍ରଣାଳୀ ଦେଖି ମୋହର ଅନେକ କାଳର ସନ୍ଦେହ ଏବଂ ଭ୍ରାନ୍ତ ଧାରଣା ଦୂର ହେଲା । ମୋହର ସମଧର୍ମା ଅନେକଙ୍କ ଧାରଣା—‘‘କନିକାରାଜା ଅଧିକାଂଶ ସମୟ କଟକରେ ଅତିବାହିତ କରନ୍ତି ଏବଂ ବିଲାତରେ ରହନ୍ତି, ରାଜ୍ୟ ଅଥବା କଚେରୀର କାର୍ଯ୍ୟ ସମ୍ୱନ୍ଧରେ କିଛି ଜାଣନ୍ତି ନାହିଁ ଅଥବା ବୁଝନ୍ତି ନାହିଁ’’ । ମାତ୍ର ଏଠାରେ ଯେପରି ଦେଖିଲି ରାଜ୍ୟର କ୍ଷୁଦ୍ରତମ କାର୍ଯ୍ୟଠାରୁ ବୃହତ୍ତମ ବିଭାଗର ପ୍ରତ୍ୟେକ ଅଂଶ ରାଜା ଅନ୍ୟତ୍ର ରହି ସୁଦ୍ଧା ତତ୍ତ୍ୱ ନେବାରେ ପଟୁ । କଚେରୀରେ ରାଜାଙ୍କର ତିନି ଗୋଟି ପରିଦର୍ଶନ ମନ୍ତବ୍ୟ (Inspection Notes) ଦେଖିଲି । ଗୋଟିଏ ୫୦ ପୃଷ୍ଠା, ଅପର ଦିଓଟି ଯଥାକ୍ରମେ ୩୦ ଓ ୨୦ ପୃଷ୍ଠା । ଏହି ତିନି ଗୋଟି ମନ୍ତବ୍ୟ ପାଠ କରି ବୁଝିଲି, ପ୍ରତ୍ୟେକ ବିଷୟର ପୁଙ୍ଖାନୁପୁଙ୍ଖ ସନ୍ଧାନ ରାଜାମହୋଦୟ ନିଅନ୍ତି ଓ ନେଉଅଛନ୍ତି । ଅନ୍ୟତ୍ର ରହିଲେ ସୁଦ୍ଧା ବିଭିନ୍ନ ବିଭାଗର କାଗଜପତ୍ର ନିୟମିତରୂପେ ରାଜାମହୋଦୟଙ୍କ ନିକଟକୁ ପ୍ରେରିତ ହୋଇଥାଏ ଏବଂ ସେହି କାଗଜପତ୍ର ରାଜା ନିବିଷ୍ଟଚିତ୍ତରେ ପରିଦର୍ଶନ କରନ୍ତି ଏବଂ ବର୍ଷରେ ୪।୫ ଥର ରାଜ୍ୟକୁ ଶୁଭାଗମନ କରି ଅନ୍ୟ ସମସ୍ତ ବିଷୟର ତତ୍ତ୍ୱାବଧାରଣ କରନ୍ତି । ରାଜ୍ୟର କରଜ ବିଭାଗର (Loan-fund) କାର୍ଯ୍ୟପ୍ରଣାଳୀ ଅତି ଚମତ୍କାର । ଅତ୍ୟଧିକ କଳନ୍ତରଗ୍ରାହୀ କୁସୀଦଜୀବିଙ୍କ କବଳରୁ ପ୍ରଜାମାନଙ୍କୁ ରକ୍ଷା କରିବା ସକାଶେ ଏହି ବିଭାଗର ସୃଷ୍ଟି ହୋଇଅଛି ଏବଂ ଏହି ବିଭାଗଦ୍ୱାରା ରାଜ୍ୟର କ୍ଷୁଦ୍ରତମ ପ୍ରଜା ପର୍ଯ୍ୟନ୍ତ ସମାନ ଭାବରେ ଉପକୃତ ହେଉଅଛନ୍ତି-। ଏ ସମ୍ୱନ୍ଧରେ ଦିନେ ଜଣେ ଛିନ୍ନବସ୍ତ୍ର ପରିହିତ ଗରିବ ହାଡ଼ି ପ୍ରଜା ନିକଟରୁ ଶୁଣିଥିଲି, ‘‘ମୁଁ ଚାଷ କରେଁ ସତ, କିନ୍ତୁ ୭।୮ ମାସ ଚଳେ, ରଜାଘରୁ ଧାନ କରଜ ମିଳୁ ନ ଥିଲେ କେବେହେଁ ବଞ୍ଚନ୍ତି ନାହିଁ—ସୁଧ ଖୁବ୍‍ କମ, ସୁଧ ଦେଲାବେଳେ ଜଣାପଡ଼େ ନାହିଁ ।’’

ଶାସନ ଏବଂ ବିଚାରବିଭାଗ କନିକା ରାଜାଙ୍କ ହସ୍ତରେ ନ ଥିଲେହେଁ ସ୍ୱୀୟ ପ୍ରଜାବର୍ଗଙ୍କ ସୁବିଧା ସକାଶେ ରାଜ୍ୟର ସର୍ବତ୍ର ଯଥେଷ୍ଟ ଆୟୋଜନ ହେଉଅଛି । ଦାତବ୍ୟ ଚିକିତ୍ସାଳୟ, ସ୍କୁଲ, ମାର୍ଗ, ବନ୍ଧ; ପୁଷ୍କରିଣୀ ଓ କୂପ ପ୍ରଭୃତିର ପ୍ରତିଷ୍ଠାରେ ପ୍ରତି ବର୍ଷ ରାଜକୋଷରୁ ଅନେକ ବ୍ୟୟିତ ହୋଇଥାଏ । ରାଜକନିକାର ନବନିର୍ମିତ ସ୍କୁଲଘରରେ ପ୍ରାୟ ୭୦୦୦ ଟଙ୍କା ବ୍ୟୟ ହୋଇଅଛି ଏବଂ ଆହୁରି ପ୍ରାୟ ୩୦୦୦ ଟଙ୍କାର କାର୍ଯ୍ୟ ହେବ । ସଂସ୍କୃତ ସ୍କୁଲ (ପଦ୍ମନାଭ ଟୋଲ) ସୁଯୋଗ୍ୟ ଅଧ୍ୟାପକବର୍ଗଙ୍କ ଦ୍ୱାରା ପରିଚାଳିତ ଏବଂ ପ୍ରତିବର୍ଷ ଏଥିର ସୁଯୋଗ୍ୟ ଛାତ୍ରବର୍ଗ ବାହାରନ୍ତି—ମାତ୍ର ଟୋଲ ଗୃହଟିର ଅବସ୍ଥା ଜୀର୍ଣ୍ଣ । ରାଜା ମହୋଦୟ ଏହି ବିଷୟରେ ମନୋଯୋଗୀ ହୋଇ ଏହି ଗୃହକୁ ପକ୍କା କରି ଦେବାର ଆୟୋଜନ ଅବିଳମ୍ୱେ କରନ୍ତୁ ଏବଂ ତଦ୍ଦ୍ୱାରା ପ୍ରାଚୀନ ମହତ୍‌ ଭାଷାର ସମ୍ମାନ ରକ୍ଷା ସକାଶେ ଯତ୍ନଶୀଳ ହେଉନ୍ତୁ, ଏତିକି ବିନୀତ ମାଗୁଣି ।

ରାଜନବରର ଚତୁର୍ଦ୍ଦିଗବେଷ୍ଟିତ ପ୍ରାକାର ବଡ଼ କମ୍‍ ନୁହେ । ସମସ୍ତ ପ୍ରାକାରଟି ଦୀର୍ଘରେ ଏକମାଇଲରୁ ବେଶି ହେବ । ଏହା ମଧ୍ୟରେ ବିସ୍ତୀର୍ଣ୍ଣ ଉଦ୍ୟାନ ଏବଂ ଚାରୋଟି ପୁଷ୍କରିଣୀ । ଗୋଟିଏ ଉଦ୍ୟାନ ମଧ୍ୟରେ ୩୦।୪୦ ଗୋଟି ହରିଣ ଓ ଶମ୍ୱର ଅକୁତୋଭୟରେ ବିଚରଣ କରୁଥିବାର ଦେଖିଲି । ରାଜନଗରର ପ୍ରବେଶ ଦ୍ୱାର ସମ୍ମୁଖରେ ଗୋଟିଏ ପ୍ରକାଣ୍ଡ ପୁଷ୍କରିଣୀ-ପୁଷ୍କରିଣୀର ଚତୁଃପାର୍ଶ୍ୱରେ ଚାରୋଟି ପଥରର ଘାଟ । ପାଣି ଅତି ନିର୍ମଳ ଥିବାରୁ ପ୍ରତ୍ୟହ ଏହି ପୁଷ୍କରିଣୀରେ ସ୍ନାନ କରିବାର ଲୋଭ ସମ୍ୱରଣ କରିବା ମୋହ ପକ୍ଷରେ ଦୁରୂହ ଏବଂ ଏହି ହେତୁରୁ ମୋହର ପ୍ରାତ୍ୟହିକ ଚାରି ଥର ସ୍ନାନ ଏହାର କୌଣସି ଘାଟରେ ସମ୍ପନ୍ନକରି ଅତ୍ୟନ୍ତ ତୃପ୍ତ ହେଉଥିଲି ।

ଦିନେ ଅପରାହ୍ଣରେ ଏଠାରୁ ଦୁଇ ମାଇଲ ଦୂରବର୍ତ୍ତୀ ଗିରିଆ ମଠ ଦେଖିବାକୁ ଯାଇଥିଲି-। ମଠଟି ଖରସ୍ରୋତା କୂଳରେ କବିଜନ ଲୋଭନୀୟ ସ୍ଥାନରେ ଅବସ୍ଥିତ । ଏ ମଠର ଭୂସମ୍ପତ୍ତିରୁ ବାର୍ଷିକ ପାଞ୍ଚହଜାର ଟଙ୍କା ଆୟ ହୁଏ । ରାଜମାତାଙ୍କ କର୍ତ୍ତୃକ ନବନିର୍ମିତ ପ୍ରାଚୀର ଓ ମନ୍ଦିର ଏବଂ ପ୍ରସ୍ତରପାବଚ୍ଛଭୂଷିତ ସୁନ୍ଦର ପୁଷ୍କରିଣୀ ଏହାର ଶୋଭା ବର୍ଦ୍ଧନ କରୁଅଛି । ମଠାଧିକାରୀ ଅତି ଅମାୟିକ ପ୍ରକୃତିର ବ୍ୟକ୍ତି, ବିଗ୍ରହଙ୍କ ସେବା ଏବଂ ସଦାବ୍ରତ ପ୍ରତି ଏ ମହାଶୟ ଯଥାର୍ଥ ଆସ୍ଥାବାନ୍‌ ବୋଧହେଲା । ତୃତୀୟ ଦିବସ ପ୍ରତ୍ୟୁଷରୁ ଗୋଟିଏ (Accommodation Boat) ରେ ଭିନ୍ନ ଭିନ୍ନ ସ୍ଥାନ ସନ୍ଦର୍ଶନାର୍ଥ ରାଜାମହୋଦୟଙ୍କ ଅନୁମତି ନେଇ ବାହାରିଲି । କନିକା ରାଜ୍ୟରେ ଭ୍ରମଣ କରିବାକୁ ହେଲେ ନୌଜାନର ଆଶ୍ରୟ ବ୍ୟତୀତ ଗତ୍ୟନ୍ତର ନାହିଁ । ଚତୁର୍ଦ୍ଦିଗରେ କ୍ଷୁଦ୍ର ବୃହତ୍‌ ନଦୀ ଏବଂ ଏହି ନଦୀସମୂହରୁ ଅସଂଖ୍ୟ ନାଳ ବାହାରି ପରସ୍ପର ଯୁକ୍ତ ହୋଇଅଛି । ଏହି ହେତୁରୁ କନିକା ଷ୍ଟେଟର ୭ ଖଣ୍ଡି ବଡ଼ ସାନ ବୋଟ ଏବଂ ଅନେକ ନୌକା ରହିଅଛି । ରାଜ୍ୟପରିଦର୍ଶନାର୍ଥ ରାଜାଙ୍କଠାରୁ ରାଜକର୍ମଚାରୀଙ୍କର ଏଗୁଡ଼ିକ ଅତ୍ୟନ୍ତ ଲୋଡ଼ା । ସ୍ଥୂଳତଃ ଗଞ୍ଜା ଘାଟରେ ଏଗୁଡ଼ିକ ଏକତ୍ରସଂସ୍ଥିତି ଦେଖି ଏହାକୁ (Kanika fleet) ଆଖ୍ୟା ଦେଇଥିଲି ।

ବୋଟରେ ପ୍ରତ୍ୟୁଷରୁ ବାହାରି ଖରସ୍ରୋତାରେ ଉଜାଣି ବୋହି ପୂର୍ବାହ୍ନ ୧୦ଘଟିକା ସମୟରେ ଆଳି ଗଡ଼ରେ ପହୁଞ୍ଚିଲୁଁ । ବଂଶବନାକୀର୍ଣ୍ଣ ଆଳି ରାଜପ୍ରାସାଦ ଖରସ୍ରୋତା କୂଳରେ ସଗର୍ବରେ ଦଣ୍ଡାୟମାନ । ରାଜପ୍ରାସାଦ ନିମ୍ନସ୍ଥ ଘାଟରେ ବୋଟ ରଖି ମୁଁ ବରାହନାଥଙ୍କ ପ୍ରାଚୀନ ମନ୍ଦିର ସନ୍ଦର୍ଶନାର୍ଥ ପ୍ରାୟ ଏକମାଇଲ ବାଟ ପଦବ୍ରଜରେ ଯାଇଥିଲି । ବରାହନାଥଙ୍କ ମନ୍ଦିର ପର୍ଯ୍ୟନ୍ତ ଲୋକାଳୟ ଦୃଷ୍ଟ ହେଲା । ବରାହନାଥଙ୍କ ଦର୍ଶନ କରିବାର ସ୍ପୃହା ମୋହର ଅନେକଦିନରୁ ଥିଲା—ଆଜି ତାହା ଚରିତାର୍ଥ ହେଲା । ଆଳିର ବର୍ତ୍ତମାନ ନରପତି ରାଜା ବ୍ରଜସୁନ୍ଦର ଦେବ ସମଗ୍ର ଉତ୍କଳରେ ଆଦର୍ଶ ବ୍ୟାୟାମ-କୁଶଳ, ତାହାଙ୍କ (Circus) ରେ ଆଳି ରାଜ୍ୟର ଲୋକମାନଙ୍କୁ ଉପଯୁକ୍ତ ଶିକ୍ଷା ଦେଇ ସିଂହ, ବ୍ୟାଘ୍ର, ଭଲ୍ଲୁକ ଓ ବାନର କ୍ରୀଡ଼ାରେ ସିଦ୍ଧକାମ ହୋଇଅଛନ୍ତି । ଏହାଙ୍କ ସହୋଦର କନିକାର ବର୍ତ୍ତମାନ ରାଜା ରାଜେନ୍ଦ୍ରନାରାୟଣ ଆଦର୍ଶ ଶିକାର-ନିପୁଣ ଏବଂ ଏହି ନୈପୁଣ୍ୟ ଆଜିକାଲି ଉତ୍କଳବ୍ୟାପୀ ହୋଇଅଛି । ଏହିସବୁ ଦେଖି କବିବରଙ୍କ ନିମ୍ନ ଦୁଇ ପଂକ୍ତି ମନରେ ସ୍ୱତଃ ଉଦୟ ହୁଏ :—

‘‘ବରାହପାଳିତ ବାଲିପୂର୍ଣ୍ଣ ଆଳି,

କ୍ଷତ୍ରବୃନ୍ଦ ଯାର ମହାବୀର୍ଯ୍ୟଶାଳୀ’’

 

ବରାହନାଥଙ୍କ ନିକଟରୁ ପ୍ରତ୍ୟାବୃତ୍ତ ହୋଇ ବୋଟ ଛାଡ଼ିଦେଲୁଁ । ଅପରାହ୍ଣ ୩ଘଟିକା ସମୟରେ ‘‘ବାଳକାଟିନଥେଟ’’ ନାମକ ସ୍ଥାନ ଦେଇ ଖରସ୍ରୋତାରେ ଭାସି ଚାଲିଲା । ଏହି ‘‘ବାଳକାଟିନଥେଟ’’ ନିତାନ୍ତ ଭୟଙ୍କର ସ୍ଥାନ, ଏହି ସ୍ଥାନରେ କନିକାଧୀଶ୍ୱରଙ୍କ ଅଗ୍ରଜ ଆଳିର ପୂର୍ବ ନରପତି ୰ପୀତାମ୍ୱରଦେବ ଶିକାର ପ୍ରତ୍ୟାବୃତ୍ତ ହୋଇ ଷ୍ଟିମରରେ ଆସୁଁ ଆସୁଁ ପ୍ରବଳ ଝଟିକାକବଳରେ ପଡ଼ି ପ୍ରାଣ ହରାଇଥିଲେ । ଏଠାରୁ ଆଳି ପ୍ରାସାଦର ବଂଶବନ ସ୍ପଷ୍ଟ ଦିଶୁଅଛି,—ଯୁବକ ନରପତିଙ୍କ ଏହି ଶୋଚନୀୟ ମୃତ୍ୟୁ ସେତେବେଳେ ତାହାଙ୍କ ପାଳିତ ବଂଶକୁଞ୍ଜ ଦେଖିଥିଲା,–ମାତ୍ର ଏହି ଦୁର୍ଘଟନାର ପ୍ରତୀକାର ତାହାପକ୍ଷରେ ସେତେବେଳେ ଅସମ୍ଭବ ହୋଇଥିଲା ସିନା ! ୧୯୦୫ ସାଲରେ ଏହି ଶୋଚନୀୟ ଘଟନା ଘଟିଥିଲା ।

 

ନଦୀପଥରେ ନୌଯାନରେ ଭ୍ରମଣ ବଡ଼ ଆନନ୍ଦଦାୟକ । କେତେ କ୍ଷୁଦ୍ର ଓ ବୃହତ୍‌ ତରଣୀ ଆମ୍ଭମାନଙ୍କ ଅଗ୍ରପଶ୍ଚାତରେ, କେଉଁ ଖଣ୍ଡ ପାଲବଳରେ, କେଉଁ ଖଣ୍ଡ ଗୁଣବଳରେ, କେଉଁ ଖଣ୍ଡ ମାଝିମାନଙ୍କ ବାହୁବଳରେ ପରିଚାଳିତ ହେଉଅଛି । ନାନାଜାତୀୟ ଜଳଚର ବିହଙ୍ଗମ ସ୍ଥାନେ ସ୍ଥାନେ ଜଳକ୍ରୀଡ଼ାରେ ମତ୍ତ । ତୀରସ୍ଥିତ ତରୁବଲ୍ଲରୀମାଳା ପରସ୍ପର ପରସ୍ପର ସହିତ ବିଜଡ଼ିତ ହୋଇ ଆନନ୍ଦରେ ବିମଳ ସଲିଳମୁକୁରରେ ନିଜ ନିଜ ପ୍ରତିବିମ୍ୱ ଅବଲୋକନ କରୁଅଛନ୍ତି । ଏହି ନଦୀସମୂହ କୁମ୍ଭୀରପୂର୍ଣ୍ଣ, ଏଣୁ ଏଥିରେ ଅବଗାହନ ସ୍ନାନ କ୍ୱଚିତ୍‌ ଦୃଷ୍ଟ ହୁଏ, କେବଳ କଳସୀ କକ୍ଷରେ କୁଳବଧୂ ଓ କୁଳକନ୍ୟାଗଣ ସ୍ୱୀୟ ସ୍ୱୀୟ ଆବାସରୁ ଜଳ ନେବାପାଇଁ ନଦୀକୁ ଆସୁଥିବାର ଦେଖା ଯାଉଥିଲା ।

 

ସୂର୍ଯ୍ୟାସ୍ତର ଅବ୍ୟବହିତ ପୂର୍ବରୁ ଖରସ୍ରୋତା ଏବଂ ଘଡ଼ିଆମାଳ ନଦୀର ସଙ୍ଗମରେ ବୋଟ ଲଙ୍ଗର କଲା । ମାର୍ତ୍ତଣ୍ଡଙ୍କ ଅସ୍ତଗମନୋଦ୍ୟତ ଲୋହିତମୂର୍ତ୍ତି ଖରସ୍ରୋତା ଜଳରେ ପ୍ରତିବିମ୍ୱିତ ହୋଇ ଅନନ୍ତ ଶୋଭା ଧାରଣ କଲା । ସୌନ୍ଦର୍ଯ୍ୟର ଏହି ସୁବିସ୍ତୃତ, ସୁପ୍ରସାରିତ, ସର୍ବସମନ୍ୱୟକାରୀ ଭାବ ବଡ଼ ମଧୁର ଓ ଅତ୍ୟନ୍ତ ଉଦାରବୋଧ ହେଲା । କ୍ଷୁଦ୍ର ବଣ ମଧ୍ୟରେ କାଷ୍ଠଟିପା ଶବ୍ଦ ଅତ୍ୟନ୍ତ ଶ୍ରୁତିମଧୁର ବୋଧ ହେଉଥିଲା । ଗୃହପାଳିତ ପଶୁ ବଣରେ ହଜିଲେ ଶବ୍ଦାନୁସରଣ କରି ସେମାନଙ୍କ ଅନୁସନ୍ଧାନ ସକାଶେ ଏହି ଟିପାର ଉତ୍ପତ୍ତି । ସେହି ଟିପାର ଶବ୍ଦ ଅଦୂରରେ ମହିଷପଲର ଅବସ୍ଥିତି ବୁଝାଇ ଦେଉଥାଏ । ତେଣେ ଶୃଗାଳ ଶ୍ରାନ୍ତିସଂବାହକ କିଆକୁଞ୍ଜରୁ ଶୃଗାଳସମୂହର ଐକତାନିକ ଆରବ ଉଥିତ ହୋଇ ସନ୍ଧ୍ୟାର ଆଗମନ ଘୋଷଣା କଲା ।

 

ରାତ୍ରିରେ ଚନ୍ଦ୍ରକରୋଜ୍ଜ୍ୱଳ ହରିତ୍‌-ଶାଳିତୃଣ-ଶୋଭିତ ତୀରଭୂମିରୁ ମୃଦୁ ସୁଗନ୍ଧ ବାୟୁ ବହନ କରି ଆମ୍ଭମାନଙ୍କ ଆଘ୍ରାଣ ଶକ୍ତିକୁ ଉପହାର ଦେଲା । ଟିଟ୍ଟିଭର ଅଶ୍ରାନ୍ତ ରବ ମଧ୍ୟେ ମଧ୍ୟେ ଦିଗ୍‍ବଳୟକୁ ମୁଖରିତ କରୁଥିଲା ଏବଂ ସହସା ଅନ୍ୟ ଗୋଟିଏ ନୌକାରୁ ମଧୁର ଉଚ୍ଚାରିତ ‘‘କେତେକାଳ ହେଲା ଦେଖି ନାହିଁ’’ ସଙ୍ଗୀତଟି ମନକୁ କରୁଣରସରେ ବୁଡ଼ାଇ ଦେଲା ।

 

ପରଦିବସ ପ୍ରତ୍ୟୁଷରୁ ବୋଟ ଘଡ଼ିଆମାଳ ନଦୀର ତରଙ୍ଗାବଳୀ ଅତିକ୍ରମ କରି ପୂର୍ବାହ୍ନ ୯ ଘଟିକାରେ କନିକା ରାଜ୍ୟର ଈଶ୍ୱରପୁର ଡାକବଙ୍ଗଳା ତଳେ ଲାଗିଲା । ଡାକବଙ୍ଗଳାର ଅବସ୍ଥାନ ନଦୀତୀରରେ ହେବାରୁ ମୃଦୁ ବାୟୁ ହିଲ୍ଲୋଳରେ ଉଥିତ ଘଡ଼ିଆମାଳର ଭୀଷଣ ତରଙ୍ଗାବଳୀ ବଙ୍ଗଳା ବରନ୍ଦାରୁ ସ୍ପଷ୍ଟ ଦିଶୁଥାଏ । ଅନ୍ୟଆଡ଼େ କନିକା ରାଜ୍ୟର ଦିଗନ୍ତ-ବିସ୍ତାରୀ ହରିତ୍‌ ଧାନ୍ୟକ୍ଷେତ୍ର ‘‘ଶସ୍ୟପୂର୍ଣ୍ଣା ବସୁନ୍ଧରା’’ ନାମ ସାର୍ଥକ କରୁଅଛି । କନିକା ରାଜ୍ୟର ପ୍ରାୟ ସର୍ବତ୍ର ଏହିପରି । ଦିଗ୍‍ବଳୟରେ ଆକାଶ ସହିତ ଧାନ୍ୟକ୍ଷେତ୍ର ମିଶି ଯାଇଅଛି, କେଉଁଠାରେ ୮।୧୦ କ୍ରୋଶ ନିରବଚ୍ଛିନ୍ନ ଧାନ୍ୟକ୍ଷେତ୍ର ଉତ୍ତାରୁ ଅତିଦୂରସ୍ଥିତ ଗ୍ରାମର ଅସ୍ପଷ୍ଟ ନୀଳାଭ ବୃକ୍ଷଶ୍ରେଣୀ ଦିଗ୍‍ବଳୟ ଅଧିକାର କରିଅଛି । ସମଗ୍ର ଉତ୍କଳରେ ଧାନ୍ୟକ୍ଷେତ୍ରର ଏଭଳି ପ୍ରକାଣ୍ଡ ‘‘ଗହିର’’ କ୍ୱଚିତ୍‌ ଦୃଷ୍ଟ ହୋଇଥାଏ । କନିକା ରାଜ୍ୟର ପ୍ରଜାମାନେ ବର୍ଷକଯାକ ଗ୍ରାସାଚ୍ଛାଦନ ନିର୍ବାହ କରି ପ୍ରତି ବର୍ଷ ପ୍ରାୟ ୧୫।୨୦ ଲକ୍ଷ ଟଙ୍କାର ଧାନ୍ୟ ବିକ୍ରୟ କରିଥାନ୍ତି—ଏଥିରୁ ଅନୁମିତ ହେବ ୪୪୦ ବର୍ଗ ମାଇଲ ପରିମିତ କନିକା ରାଜ୍ୟରେ ନଦୀ, ନାଳ, ଜଙ୍ଗଲ ଓ ସମୁଦ୍ରତୀରବର୍ତ୍ତୀ ବାଲି ବାଦ ଦେଇ ଅବଶିଷ୍ଟାଂଶରେ କେତେ ଧାନ ଫଳେ ! ବିଗତ ୧୯୦୨ ସାଲରେ ବର୍ତ୍ତମାନ-କନିକାଧୀଶ୍ୱର ରାଜା ରାଜେନ୍ଦ୍ରନାରାୟଣ ୪୦ ବର୍ଷ କୋର୍ଟ ଅଫ ଉଆର୍ଡ଼ସ୍‌ ଉତ୍ତାରୁ ରାଜ୍ୟ ପାଇଲା ସମୟରେ କନିକା ରାଜ୍ୟର ସମସ୍ତ ପ୍ରଜାମାନେ ‘‘କନିକା ମହାପ୍ରଭୁ’’ ବୋଲି ସମ୍ୱୋଧନ କରିଥିଲେ । ମାତ୍ର ଏହାଙ୍କୁ ‘‘କନିକା ମହାପ୍ରଭୁ’’ ନ କହି ‘‘ଧାନ ଏବଂ ମାଛର ମହାପ୍ରଭୁ’’ ବୋଲି ସମ୍ୱୋଧନ କଲେ ଅତ୍ୟୁକ୍ତିର ସମ୍ଭାବନା ନାହିଁ । ଧାନର ଅବସ୍ଥା ତ ଏହିପରି, ପୁଣି ନଦୀ ଏବଂ ନାଳରୁ ପ୍ରତ୍ୟହ ଅଜସ୍ର ମାଛ ଆମଦାନୀ ହେଉଅଛି ଏବଂ ଏହି ସମସ୍ତ ଦେଖିବା ସକାଶେ କନିକା ରାଜ୍ୟରେ Inspector of forest and fisheries ନାମକ ଜଣେ ରାଜକର୍ମଚାରୀ ନିଯୁକ୍ତ ଅଛନ୍ତି ।

 

ଡାକବଙ୍ଗଳାର ପଶ୍ଚାତରେ ଈଶ୍ୱରପୁର ଗ୍ରାମ । ଗ୍ରାମଟି କ୍ଷୁଦ୍ର-୨୦।୨୨ ଘର ପ୍ରଜା ବାସ କରନ୍ତି । ଗ୍ରାମର ଦାଣ୍ଡ ଲଙ୍ଗୁଳି ଶିଶୁମାନଙ୍କ କୋଳାହଳରେ ମୁଖରିତ ହେଉଥିଲା । ହଠାତ୍‌ ମୁଁ ଉପସ୍ଥିତ ହେବାରୁ କୋଳାହଳ ବନ୍ଦ ହୋଇଗଲା । ଆଧୁନିକ ଯୁଗର ପରିଚ୍ଛଦଧାରୀ କୌଣସି ବ୍ୟକ୍ତିଙ୍କ ଶୁଭାଗମନ ହେଲେ ପ୍ରତ୍ୟେକ ଗ୍ରାମର ଦାଣ୍ଡ ଏହିଭଳି ଶଙ୍କିତ ହୋଇଥାଏ । ଏହା ଆମ୍ଭମାନଙ୍କ ପକ୍ଷରେ କଳଙ୍କର କଥା ନୁହେ କି ? ଭଦ୍ର ପରିଚ୍ଛଦଧାରିମାନେ ଯେବେ ଦୁଃସ୍ଥ ବ୍ୟକ୍ତିବର୍ଗଙ୍କ ସୁଖ ଦୁଃଖରେ ରୀତିମତ ସହାନୁଭୂତି ଦେଖାଉଥାନ୍ତେ, ତାହାହେଲେ ଆଧୁନିକ ସମାଜ ଯେଉଁ ଭିତ୍ତି ଉପରେ ସ୍ଥାପିତ, ସେହି ସୁଦୃଢ଼ ଭିତ୍ତିସମ୍ୱଳିତ ନିମ୍ନଶ୍ରେଣୀର ଜୀର୍ଣ୍ଣବସ୍ତ୍ରପରିହିତ କୃଷକବର୍ଗଙ୍କ ଏହି ଶଙ୍କାର ଅସ୍ତିତ୍ୱ ଲୁପ୍ତ ହୋଇଯାନ୍ତା । ମାତ୍ର ବକ୍ତୃତା ଏବଂ ଉପଦେଶର ଚିତ୍କାରରେ ଏହା କେବଳ ପର୍ଯ୍ୟବସିତ ହୋଇଥାଏ । ସହାନୁଭୂତିର ମାତ୍ରା ନିତାନ୍ତ କମ-ନାହିଁ ବୋଲିଲେ ଅତ୍ୟୁକ୍ତି ହେବ ନାହିଁ । ଏହା ଆମ୍ଭମାନଙ୍କର ଗୌରବର ବିଷୟ ବୋଲି ମନେ କରୁଁ, ମାତ୍ର ମୋହର କ୍ଷୁଦ୍ର ମତରେ ଏହା ଆମ୍ଭମାନଙ୍କ ପକ୍ଷରେ ନିତାନ୍ତ ଲଜ୍ଜା ଏବଂ କଳଙ୍କ ଓ ପରିଶେଷରେ ପରିତାପର କଥା !

 

ଗ୍ରାମର ଗୋଟିଏ ଘର ପଛଆଡ଼େ ଗୋଟିଏ ପୋଖରୀ–ପୋଖରୀରେ ଦିଓଟି ପାଣିକୁଆ ପହଁରି ଯାଉଅଛନ୍ତି, ପୋଖରୀର ପାଣି ସ୍ଥାନେ ସ୍ଥାନେ କଳମ ଲଟାରେ ଆଚ୍ଛନ୍ନ । ପୋଖରୀ ଘାଟରେ ଗୋଟିଏ କଂସା ଓ ଗୋଟିଏ ଥାଳି ରହିଅଛି । ଯେ ଏ ଗୁଡ଼ିକ ରଖି ଯାଇ ଘରେ ପଶି ଯାଇଅଛନ୍ତି, ତାଙ୍କ ଗୋଡ଼ର ଜଳସିକ୍ତ ପଦଚିହ୍ନ କର୍ଦ୍ଦମ ସୋପାନରେ ସୁସ୍ପଷ୍ଟ ପରିଦୃଶ୍ୟମାନ । ନିକଟରେ ଗୋଟିଏ ତେନ୍ତୁଳିବୃକ୍ଷ ଉପରେ ଗୋଟିଏ ଶଙ୍ଖଚିଲ ବସି ମତ୍ସ୍ୟ ସଂଗ୍ରହାଶାରେ ଇତସ୍ତତଃ ଚାରିଆଡ଼େ ଅନାଉଥିଲା । ଏହି ନିରୀହ ଗ୍ରାମ୍ୟଦୃଶ୍ୟ ସହରବାସୀଙ୍କ ପକ୍ଷରେ ଅତ୍ୟନ୍ତ ମଧୁର, ଅତି ପବିତ୍ର ।

 

ଏଠାରୁ ଆମ୍ଭେମାନେ ଅର୍ଦ୍ଧମାଇଲ ଦୂରବର୍ତ୍ତୀ ରିଘାଗଡ଼ ଦେଖିବାକୁ ଗଲୁଁ । ନଦୀ କୂଳରେ କନିକା ରାଜାଙ୍କ ଗୋଟିଏ ଖମାର ଦୃଷ୍ଟ ହେଲା । ଏଠାରେ ପ୍ରକାଣ୍ଡ ଉଦ୍ୟାନ ଓ ପୁଷ୍କରିଣୀ ଏବଂ ପ୍ରାଚୀନ ଓ ଆଧୁନିକ ଭାସ୍କର୍ଯ୍ୟ ପରିପୂରିତ ବଳରାମଙ୍କ ମନ୍ଦିର ଏବଂ ଦୁର୍ଗର ଭଗ୍ନାବଶେଷ ପ୍ରକୃତ ଦର୍ଶନୀୟ ପଦାର୍ଥ ମଧ୍ୟରେ ପରିଗଣିତ । ବଳରାମଙ୍କ ମନ୍ଦିରର ଆୟ ବାର୍ଷିକ ପ୍ରାୟ ୫।୬ ହଜାର ଟଙ୍କା ଏବଂ ଏହି ଅର୍ଥରେ ବିଗ୍ରହଙ୍କ ନୀତି ସୁନ୍ଦରରୂପେ ଚଳି ଉଦ୍‌ବୃତ୍ତ ଟଙ୍କାରେ ମନ୍ଦିରର ଅନେକ ଜୀର୍ଣ୍ଣସଂସ୍କାର ଏବଂ ସ୍ଥାନେ ସ୍ଥାନେ ପରିବର୍ତ୍ତନ ହେଉଅଛି । ଦୁର୍ଗର ଭଗ୍ନାବଶେଷ ପ୍ରତ୍ନତତ୍ତ୍ୱବିତ୍‌ଙ୍କ ପ୍ରକୃତ ହୃଦୟହାରୀ । ୰ ରାଜା ବଳଭଦ୍ର ଭଞ୍ଜଙ୍କ ସମୟରେ ଏହି ଦୁର୍ଗ ଓ ମନ୍ଦିର ପ୍ରସ୍ତୁତ ହୋଇଥିଲା । ୰ରାଜା ପଦ୍ମନାଭ ଭଞ୍ଜଙ୍କ ସମୟରୁ ଏହି ଦୁର୍ଗ ପରିତ୍ୟକ୍ତ ହୋଇଅଛି । ଅଦୂରରେ ଆଖଣ୍ଡଳେଶ୍ୱର ଶିବଙ୍କ ମନ୍ଦିର । ସ୍ଥାନଟି କନିକାର ପୂର୍ବ ଗୌରବର ମୂକସାକ୍ଷୀ ରୂପରେ ପରିଦୃଶ୍ୟମାନ । ରାଜବଂଶୀୟ ଜଣେ ଅନ୍ତରରାଣୀ ଏଠାରେ ବର୍ତ୍ତମାନ ଅବସ୍ଥାନ କରୁଥିବାରୁ ପୁରାତନ ଗୌରବ ଟିକିଏ ସଜୀବ ଥିବା ପ୍ରାୟ ବୋଧ ହେଉଅଛି, ମାତ୍ର ଏହା ଦେଖିଲେ କବିବରଙ୍କ ଖେଦୋକ୍ତି ମନରେ ପଡ଼ିଯାଏ :—

 

‘କୀର୍ତ୍ତି କୀଟକାଳ କେଉଁ କୀର୍ତ୍ତି ପ୍ରତି ନୋହିଛି ବାମ ?’

 

ଏଠାରୁ ଆମ୍ଭମାନଙ୍କ ବୋଟ ଘଡ଼ିଆମାଳ ନଦୀର ଉଜାଣିରେ ପରିଚାଳିତ ହେଲା । ଉଜାଣିରେ ଚାଲିଲେ ମଧ୍ୟ ନଦୀର ଜୁଆର ଆରମ୍ଭ ହୋଇଥିବାରୁ ବାହକମାନଙ୍କୁ କଷ୍ଟକର ହେଲା ନାହିଁ । ଆମ୍ଭମାନଙ୍କ ମହାନଦୀର ସ୍ୱାଭାବିକ ମୃଦୁତା ପରିବର୍ତ୍ତରେ ବର୍ଷାକାଳୀନ ଆବେଗ ଓ ଉଦ୍ଦାମ ଭାବ ପରିଲକ୍ଷିତ ହେଲା ପରି ଏହି ସବୁ ନଦୀର ସମସ୍ତ ଋତୁରେ ସମୁଦ୍ର ସହିତ ଉତ୍କଟ ଦାମ୍ପତ୍ୟ ପ୍ରଣୟର ବିକଟ ପ୍ରେତଧ୍ୱନି ଭଳି ପ୍ରତ୍ୟହ ଜୁଆର ଓ ଭଟ୍ଟାର ବିକାଶ ଦେଖାଯାଏ ।

 

ଅପରାହ୍ଣ ୪ ଘଟିକା ସମୟରେ ବୋଟ ମାଟିଆମଙ୍ଗଳା ଗ୍ରାମ ନିକଟ ଦେଇ ଚାଲିଲା । ଏହାର ଅପର ପାଚିରେ ଖରସ୍ରୋତା ନଦୀ ଘଡ଼ିଆମାଳ ସହିତ ମିଶିଅଛି । ଏହି ଗ୍ରାମସ୍ଥ ଦେବୀଙ୍କୁ ଏ ଅଞ୍ଚଳର ଲୋକେ ଅତ୍ୟନ୍ତ ଭକ୍ତି କରନ୍ତି—ମାତ୍ର ନଦୀ ଗ୍ରାମକୁ ଅନେକ ପରିମାଣରେ ବିଧ୍ୱସ୍ତ କରି ଦେଲାଣି । ଆଉ କିଛି ଦିନ ଉତ୍ତାରୁ ଗ୍ରାମରେ ଗୋଟିଏ ଘର ସୁଦ୍ଧା ନ ରହିବାର ଆଶଙ୍କା ହେଉଅଛି-। ଏଠାରେ ମୁକ୍ତ ପ୍ରକୃତିର ଶୋଭା ଦେଖି ଆନନ୍ଦରେ ହୃଦୟ ଉଲ୍ଲସିତ ହେଲା । ଯେତେଦୂର ଦୃଷ୍ଟି ଚାଲେ, ଶ୍ୟାମଳଶାଳିତୃଣଶୋଭିତ ମୁକ୍ତ ପ୍ରାନ୍ତର, ଊର୍ଦ୍ଧ୍ୱରେ ଅନନ୍ତରହସ୍ୟମଣ୍ଡିତ ନୀଳାକାଶ, ନିମ୍ନରେ ଉଦ୍ଦାମସଲିଳା ସ୍ରୋତସ୍ୱିନୀର ଲହରୀଲୀଳା ! ମଧ୍ୟ ମଧ୍ୟେ ଦରିଦ୍ରଙ୍କ ବିଳାସିତାବର୍ଜିତ କ୍ଷୁଦ୍ର କୁଟୀର, ଧରିତ୍ରୀର ଶ୍ୟାମାଞ୍ଚଳ ତୁଲ୍ୟ ଶସ୍ୟପରିପୂର୍ଣ୍ଣ ଶ୍ୟାମଳ କ୍ଷେତ୍ରର ଶୋଭାକୁ ନୟନାଭିରାମ କରିଅଛି । ସୁବିସ୍ତୀର୍ଣ୍ଣ ଶସ୍ୟକ୍ଷେତ୍ରର ଶସ୍ୟଶୀର୍ଷ ଅପରାହ୍ଣର ମୁକ୍ତ ସମୀରଣ ହିଲ୍ଲୋଳରେ କମ୍ପିତ ହେଉଥିଲା ଏବଂ ନଦୀରେ ଦୂରସ୍ଥ ନୌକାସମୂହର ଉତ୍ତୋଳିତ ଶୁଭ୍ରପାଲଗୁଡ଼ିକ ମାୟାଚିତ୍ର ଭଳି ଆମ୍ଭମାନଙ୍କ ନୟନପଥରେ ଉଦ୍ଭାସିତ ହେଉଥିଲା ।

 

ଘଡ଼ିଆମାଳ ଗ୍ରାମର ନାମାନୁସାରେ ବ୍ରାହ୍ମଣୀ ନଦୀର ଏହି ପ୍ରଶସ୍ତ ଅଂଶଟି ଘଡ଼ିଆମାଳ ନଦୀ ନାମ ଧାରଣ କରିଅଛି । ଏହି ଗ୍ରାମର ଟିକିଏ ଉପରକୁ ହଁସୁଆନାଳ ଘଡ଼ିଆମାଳ ନଦୀରୁ ବାହାରି ସମୁଦ୍ର ପର୍ଯ୍ୟନ୍ତ ଯାଇଅଛି । ୧୮୮୫ ସାଲ ସୁନିଆ ତୋଫାନରେ ଏଥିରେ ସମୁଦ୍ର ଜଳ ଚାଲିଆସି କନିକାର ଅନେକ ଗ୍ରାମ ନଷ୍ଟ ଏବଂ ବିପର୍ଯ୍ୟସ୍ତ କରିଥିଲା । କେନ୍ଦ୍ରାପଡ଼ା କେନାଲର ବାର୍ଷିକ ସଂସ୍କାର ସମୟରେ କେନାଲ ଶୁଖିଥିବା ବେଳେ ଚାନ୍ଦବାଲିଠାରୁ ଏହି ବାଟେ ଷ୍ଟିମର ତାଳଦଣ୍ଡା କେନାଲ ମାର୍ଗରେ କଟକକୁ ଯାତାୟାତ କରେ । ଏହି ନାଳର ଚଉଡ଼ା ପ୍ରାୟ ୨୫।୩୦ ଫୁଟ, ମାତ୍ର ଅତ୍ୟନ୍ତ ଗଭୀର ।

 

ସନ୍ଧ୍ୟାର ପ୍ରାକ୍‍କାଳରେ ନଦୀର ଗୋଟିଏ ବାଙ୍କରେ ବୋଟକୁ ବିଶ୍ରାମ ଦେଇଥିଲୁଁ । ରାତ୍ରି ପ୍ରାୟ ୧୦ଟା ଉତ୍ତାରୁ ଜହ୍ନ ବୁଡ଼ିଲା । ସର୍ବତ୍ର ନୀରବତା ବିରାଜୁଥିଲା, ଚରାଚର ଯେପରି ଘୋର ସୁପ୍ତିରେ ସମାଚ୍ଛନ୍ନ । କେବଳ ମଧ୍ୟେ ମଧ୍ୟେ ଉଦ୍ଦାମ ନୈଶ ବାୟୁ ସୁଦୂର ପ୍ରସାରିତ ମୁକ୍ତ କ୍ଷେତ୍ରର ବକ୍ଷୋପରି ପ୍ରବାହିତ ହୋଇ ନିକଟବର୍ତ୍ତୀ ଗ୍ରାମସ୍ଥ ସୁଦୀର୍ଘ ବୃକ୍ଷଶ୍ରଣୀର ଶାଖା-ପଲ୍ଲବ କମ୍ପିତ କରୁଥିଲା ଏବଂ ଦୂରରୁ ଘୋରନାଦୀ ସମୁଦ୍ରର ଅନନ୍ତ ବଜ୍ରଗମ୍ଭୀର କଲ୍ଲୋଳ ରାତ୍ରିର ନିସ୍ତବ୍ଧତା ଭଙ୍ଗ କରୁଥିଲା ।

 

ପରଦିନ ପ୍ରତ୍ୟୁଷରୁ ବୋଟ ବୁହାଇ ପ୍ରାୟ ପୂର୍ବାହ୍ନ ୭ ଘଟିକା ସମୟରେ କେରଡ଼ାଗଡ଼ରେ ଉପସ୍ଥିତ ହେଲୁଁ । କେରେଡ଼ାଗଡ଼ କନିକାର ଗୋଟିଏ ପ୍ରସିଦ୍ଧ ସ୍ଥାନ । ରାଜ୍ୟ ପରିଚାଳନସଂକ୍ରାନ୍ତ ପ୍ରାୟ ସମସ୍ତ କାର୍ଯ୍ୟାଳୟ ଏଠାରେ ବିଦ୍ୟମାନ । ଡାକବଙ୍ଗଳା, ସ୍କୁଲ, ତହସିଲ କଚେରୀ, ଖମାର, ଉଦ୍ୟାନ, ପୁଷ୍କରିଣୀ, ମନ୍ଦିର ସମସ୍ତ ଏଠାରେ ରହିଅଛି । କେରେଡ଼ାଗଡ଼ର ଜଗନ୍ନାଥଙ୍କ ମନ୍ଦିର ପ୍ରକୃତ ଦର୍ଶନୀୟ । ମନ୍ଦିରସଂଲଗ୍ନ ସୁବିସ୍ତୃତ ଉଦ୍ୟାନ ଏବଂ କଡ଼ାକିଆ ନାମକ ସୁବୃହତ୍‌ ପୁଷ୍କରିଣୀ ମନ୍ଦିରର ଶୋଭା ବର୍ଦ୍ଧନ କରୁଅଛି । ମନ୍ଦିର ଗାତ୍ରରେ ଅନେକ ଭଲ ଭଲ ମୁଗୁନିପ୍ରସ୍ତରର ଭାସ୍କର୍ଯ୍ୟଶୋଭିତ ପ୍ରାଚୀନ ମୂର୍ତ୍ତି ଦୃଷ୍ଟ ହେଲା । ତନ୍ମଧ୍ୟରେ ବୁଦ୍ଧଦେବଙ୍କର ଏବଂ ବରାହାବତାରର ମୂର୍ତ୍ତି ଦିଓଟି ବଡ଼ ସୁଦୃଶ୍ୟ ବୋଧ ହେଲା । ମନ୍ଦିର ପ୍ରାକାରରେ ଏକତ୍ର ସଂଲଗ୍ନ ତିନୋଟି କୂପ ଗୋଟିଏ ଆଶ୍ଚର୍ଯ୍ୟ କୀର୍ତ୍ତି ମଧ୍ୟରେ ପରିଗଣିତ । ଜଗନ୍ନାଥଙ୍କର ସର୍ବସମେତ ବାର୍ଷିକ ଆୟ ପ୍ରାୟ ୭୦୦୦ଟଙ୍କା—ବ୍ୟୟ ମଧ୍ୟ ଆୟର ଅନୁରୂପ । ଏଠାରେ ଗୋଟିଏ ପ୍ରବାଦ ଅଛି—

 

‘‘ନଅ ଗଡ଼, ତିନି କୂଅ,

ଯେ କହିବ ସେ କେରଡ଼ ପୁଅ ।’’

 

କୂପ ତିନୋଟି ଜଗନ୍ନାଥ ମନ୍ଦିର ପ୍ରକାର ଅଭ୍ୟନ୍ତରରେ, ମାତ୍ର ଏହି ଅଞ୍ଚଳରେ ଏକ ସମୟରେ ନଅଗୋଟି ଗଡ଼ ଥିଲା । ବର୍ତ୍ତମାନ କେତେକ ଦୁର୍ଗର ଭଗ୍ନାବଶେଷ ଦୃଷ୍ଟ ହୁଏ । ସେହି ନଅଟି ଗଡ଼ର ନାମ ଏହି :—

 

୧- କେରେଡ଼େ ଗଡ଼, ୨-ନୂଆଗଡ଼, ୩-ରାଜଗଡ଼, ୪-ଭିତରଗଡ଼, ୫-ବାହାରଗଡ଼, ୬-ଶିରୀଗଡ଼, ୭-ହାଣ୍ଡିଆଗଡ଼, ୮-ଧୋବେଇଗଡ଼, ୯-ନୟାଗଡ଼ ।

 

ଏହି ଗଡ଼ ସମୂହରେ ନାଗବଂଶ, ଦେ ବଂଶ ଏବଂ ଭଞ୍ଜବଂଶ ରାଜାମାନେ ରାଜତ୍ୱ କରୁଥିଲେ, ମାତ୍ର ‘‘ଯୋଗ୍ୟତମର ଉବ୍ଦର୍ତ୍ତନ’’ (Survival of the fittest) ପ୍ରଭାବର ପ୍ରଥମ ଦୁଇ ବଂଶ ଅନ୍ତର୍ହିତ ହୋଇ ବର୍ତ୍ତମାନ କନିକାରେ ଭଞ୍ଜବଂଶର ରାଜତ୍ୱ ।

 

ସ୍କୁଲଗୃହଟି ସୁନ୍ଦର, ଉପକରଣସମୂହ ଯଥୋପପୁକ୍ତ ! ଛାତ୍ରମାନଙ୍କୁ ଓଡିଶାର ଭୂଗୋଳ ସମ୍ବନ୍ଧୀୟ ୫।୭ ଗୋଟି ପ୍ରଶ୍ନ ପଚାରି ସଦୁତ୍ତର ପାଇଲି ନାହିଁ । ଆଜିକାଲିକାର ପାଠ୍ୟପୁସ୍ତକଗୁଡ଼ିକ ସ୍ୱଦେଶ ସମ୍ୱନ୍ଧୀୟ ଶିକ୍ଷା ଏବଂ ଜ୍ଞାନ ପ୍ରଦାନ କରିବାରେ ଅନ୍ତରାୟ—ଏହା ଆକ୍ଷେପର ବିଷୟ ନୁହେ କି ? ଛାତ୍ରମାନଙ୍କ ଦୋଷ କଣ ? ମାଞ୍ଚେଷ୍ଟରକୁ ଜାଣି କଣ୍ଟିଲୋକୁ ନ ଜାଣିବା ନିତାନ୍ତ ଲଜ୍ଜା ଏବଂ ଘୋର ପରିତାପର କଥା !

 

କେରେଡ଼ା ଗ୍ରାମଟି ଅତି ସୁନ୍ଦର ଏବଂ ସୁଦୀର୍ଘ । ଗ୍ରାମ୍ୟ ପଥଟି ପରିଷ୍କୃତ ଏବଂ ସୁଉଚ୍ଚ ଗୃହଶ୍ରେଣୀ ମଧ୍ୟରେ ଦୀର୍ଘ ସରଳରେଖା ପ୍ରାୟ ବିସ୍ତୃତ । ଗ୍ରାମଟି ଲମ୍ବରେ ଏକମାଇଲରୁ କମ ନୁହେଁ । ଡାକବଙ୍ଗଳା, ଖମାର ଏବଂ କଚେରୀ ନଦୀକୂଳରେ ଅବସ୍ଥିତ । ଏଠାରେ ଗୋଟିଏ ନାରିକେଳ ଚାଷର ଉଦ୍ୟାନ ରହିଅଛି । ରାଜା ମହୋଦୟ ସ୍ୱରାଜ୍ୟରେ ନାରିକେଳ ଚାଷର ବିସ୍ତୃତି ନିମିତ୍ତ ସିଂହଳରୁ ଜଣେ କାର୍ଯ୍ୟଦକ୍ଷ ବ୍ୟକ୍ତି ନିଯୁକ୍ତ କରିଅଛନ୍ତି—ଏହାଙ୍କ କାର୍ଯ୍ୟ Inspector of cocoanut cultivation. ଏ ମହାଶୟ ଏଠାକୁ ଆସିବା ଦିନରୁ ପ୍ରାୟ ୨୬୦୦୦ ନାରିକେଳ ବୃକ୍ଷରୋପଣ କରି ସଫଳକାମ ହେଲେଣି, ଏକଲକ୍ଷ ନାରିକେଳ ବୃକ୍ଷରୋପଣ କରିବାକୁ ରାଜା ମହୋଦୟଙ୍କ ଇଚ୍ଛା ଅଛି । ରାଜ୍ୟର ସ୍ଥାନେ ସ୍ଥାନେ ବିସ୍ତୃତ ନାରିକେଳ ଉଦ୍ୟାନର କାର୍ଯ୍ୟ କ୍ଷିପ୍ରଗତିରେ ଚାଲିଅଛି ।

 

ଏଠାରୁ ଆମ୍ଭେମାନେ ରାଜକନିକା ପ୍ରତ୍ୟାବର୍ତ୍ତନ ମାନସରେ ବୋଟର ଗତି ଫେରାଇଲୁଁ-। ପୂର୍ବାହ୍ନ ୧୧ ଘଟିକା ସମୟରେ ଚତୁର୍ଦ୍ଦିଗର ବାୟୁମଣ୍ଡଳରୁ ସହସା ପୁଞ୍ଜୀଭୂତ ମେଘରାଶି କେଉଁ ଆଡ଼ୁ ଉଡ଼ି ଆସି ଅମ୍ବର ପଥ ସମାଚ୍ଛନ୍ନ କଲା—ସୂର୍ଯ୍ୟର ସ୍ପଷ୍ଟାଲୋକ କଳାମେଘାବରଣରେ ହଠାତ୍‌ ଆପ୍ତୃତ ହୋଇଗଲା । ଶାରଦୀୟ ଜୀମୂତର ମନ୍ଦ୍ର ଗର୍ଜନରେ ଚତୁର୍ଦ୍ଦିଗ ପ୍ରକମ୍ପିତ, କ୍ଷଣଚମକିତ ସୌଦାମିନୀର ଦୃଷ୍ଟି-ପ୍ରତିଘାତୀ ଜ୍ୱଳାମୟୀ ହାସ୍ୟଚ୍ଛଟା ସହସା ବିକଶିତ ହେଲା । ନୀରଦମାଳା ଘନବର୍ଷଣ ଆରମ୍ଭ କରିବାରୁ ମୁହୂର୍ତ୍ତରେ ଦୃଶ୍ୟ ପରିବର୍ତ୍ତିତ ହେଲା । ପ୍ରକୃତିର ଏହି ସଂଘର୍ଷ ସମୟରେ ଆମ୍ଭେମାନେ କୂଳରେ ବୋଟ ବନ୍ଧ ତରଙ୍ଗାନ୍ଦୋଳିତ ବୋଟ ମଧ୍ୟରେ ସବୁ ଖିଡ଼କି ବନ୍ଦ କରିଦେଇ ରହିଲୁଁ । ଏତେବେଳେ ମନ ଗଭୀର ବୈଜ୍ଞାନିକ ଚିନ୍ତାରେ ଆକୃଷ୍ଟ ହେଲା । ଏ ଚିନ୍ତା ସୃଷ୍ଟି ରହସ୍ୟ ପ୍ରହେଳିକାର ସମାଧାନ । ଯେ ଶକ୍ତି ନିକଟରେ ମାନବର କଳ୍ପନା ଅତି ହୀନ, ବୁଦ୍ଧି ବିପର୍ଯ୍ୟସ୍ତ, ତାହାରହିଁ ସୂକ୍ଷ୍ମ ମୀମାଂସା । କୋଟି କୋଟି ବିନ୍ଦୁ ପରିମିତ ଜଳ ତରଳ ବାୟୁ ଉପରେ କିଭଳି ସ୍ତମ୍ଭିତ ହୋଇ ରହେ, ଆଉ ଜଳୀୟବାଷ୍ପ ସ୍ତରରେ ଅଗ୍ନି ଶିଖାଲହରୀ କିପରି ସଂଘର୍ଷ ଉପସ୍ଥିତ କରେ ?

 

ପ୍ରାୟ ଏକଘଣ୍ଟା ଉତ୍ତାରୁ ବର୍ଷା ଛାଡ଼ି ଗଲା, ଖିଡ଼କି ଫିଟାଇ ବୋଟରୁ ଯାହା ଦେଖିଲି, ତହିଁରେ ମୋହର କ୍ଷୁଦ୍ର ପ୍ରାଣ ଆକୃଷ୍ଟ ହୋଇଗଲା ! ବର୍ଷାଧାରାରେ ପ୍ରକୃତିର ମଳିନତା ବିଧୌତ ହୋଇ ପରିଷ୍ଫୁଟ ସୌନ୍ଦର୍ଯ୍ୟ ଉପରେ ଆଲୋକ ଏବଂ ଅନ୍ଧକାରର ମିଳାମିଶା ଭାବ । ମେଷ ଦେହ ତୁଲ୍ୟ କୁଞ୍ଚିତ ଲୋମରାଜି ପ୍ରାୟ ଧଳା ‘‘ବାଇଗଣକୋଡ଼ିଆ’’ ଶୁଭ୍ର ମେଘପୁଞ୍ଜ ପ୍ରାୟ ସର୍ବତ୍ର ସମାଚ୍ଛାଦିତ । ସ୍ନିଗ୍ଧ ନିର୍ମଳ ବାୟୁପ୍ରବାହରେ ଚିନ୍ତାକ୍ଳିଷ୍ଟ ମସ୍ତିଷ୍କର ଅବସାଦରେଖା ଅପସୃତ ହେଲା ।

 

ଏଠାରେ ଆମ୍ଭେମାନେ ଖରସ୍ରୋତା ନଦୀରେ ଆଳି ରାଜ୍ୟ ତଟବର୍ତ୍ତୀ ମାର୍ଗରେ ବୋଟ ନେଲୁଁ । କିଛିଦୂର ଉତ୍ତାରୁ ଆଳି ରାଜବଂଶ ପ୍ରତିଷ୍ଠିତ ଗୋଟିଏ ପ୍ରକାଣ୍ଡ ବୃକ୍ଷ ଦେଖିବାକୁ ଗଲି । ଏହାକୁ ‘‘ବଟବିହାରୀ’’ କହନ୍ତି । ନଦୀକୂଳରୁ ଅର୍ଦ୍ଧମାଇଲ୍‍ ଜୁଆରପ୍ରଦତ୍ତ ପଙ୍କ ଏବଂ କର୍ଦ୍ଦମ ପଦବ୍ରଜରେ ଅତିକ୍ରମ କରି ଏହି ବୃକ୍ଷ ଦେଖିବାକୁ ଯାଇଥିଲି । ଅତି କଷ୍ଟରେ ସେଠାରେ ଉପସ୍ଥିତ ହୋଇ ଚକ୍ଷୁ ସାର୍ଥକ ହେଲା । ଏହାକୁ ବୃକ୍ଷ ନ ବୋଲି ‘‘ମହାଦ୍ରୁମ’’ କହିଲେ ବୋଧହୁଏ ଅଧିକତର ସଙ୍ଗତ ହେବ । ଏହା ଦୂରରୁ ଗୋଟିଏ ହରିତ୍‌ ତୃଣାସ୍ତୃତ କ୍ଷୁଦ୍ର ପାହାଡ଼ ପରି ଅବିକଳ ଦିଶେ । ନିକଟକୁ ଯାଇ ଦେଖିଲି, ଅସଂଖ୍ୟ ଶାଖାପ୍ରଶାଖାଭୂଷିତ ହୋଇ ଏହା ପ୍ରାୟ ୩ ଏକର ଭୂମି ଅଧିକାର କରି ରହିଅଛି । ବରଗଛ ପରି ପତ୍ରାବଳୀ, ମାତ୍ର ଠିକ୍‌ ବରଗଛ ନୁହେ । ମୁଁ ଚିହ୍ନି ନ ପାରି ଅନେକଙ୍କୁ ପଚାରି ସଦୁତ୍ତର ପାଇ ନାହିଁ । ସ୍ଥାନଟି ଅତି ରମଣୀୟ, ମାତ୍ର ଏହି ରମଣୀୟତାର ଉତ୍କର୍ଷ ସାଧନ କରିବା ସକାଶେ ଆଳି ରାଜାଙ୍କର ଯତ୍ନ କରିବା ସର୍ବତୋଭାବରେ କର୍ତ୍ତବ୍ୟ । ଏହା ସମଗ୍ର ଉତ୍କଳରେ ଗୋଟିଏ ଦର୍ଶନୀୟ ପଦାର୍ଥ । ନଦୀକୂଳରୁ ଏହା ନିକଟକୁ ଭଲ ମାର୍ଗ ହେବାର ଉଚିତ ଏବଂ ଏହା ତଳରେ ବସିବା ସକାଶେ ଉପଯୁକ୍ତ ଆଯୋଜନ ଥିବା ଆବଶ୍ୟକ । ଏହା ତଳକୁ ଗଲେ ଗୋଟିଏ ପ୍ରକାଣ୍ଡ ହରିତ୍‌ ଚନ୍ଦ୍ରାତପ ବୋଲି ଭ୍ରମ ହୁଏ । ଏହି ଚନ୍ଦ୍ରାତପ ତଳେ ଅନାୟାସରେ ୨।୩ ସହସ୍ର ଲୋକ ବିଶ୍ରାମ ନେଇ ପାରନ୍ତି ।

 

ସୂର୍ଯ୍ୟାସ୍ତ ସମୟରେ କନିକା ରାଜ୍ୟର ବାଁଶଚିଆ ଗ୍ରାମ ନିକଟରେ ଆମ୍ଭେମାନେ ବୋଟ ଭିଡ଼ିଲୁଁ । ଏଠାରେ କୋରନ୍ଦ ଗ୍ରାମର ଦେଉଳ ଅସ୍ତରାଗରଞ୍ଜିତ ହୋଇ ଅତି ରମଣୀୟ ଦିଶୁଥିଲା-। କିଆ ଫୁଲର ମୃଦୁ ଗନ୍ଧ ସନ୍ଧ୍ୟାର ବାୟୁତରଙ୍ଗରେ ଭାସି ଆସୁଥିଲା ଏବଂ ଆମ୍ବଗଛର ଶାଖାପ୍ରଶାଖାରେ ସହସ୍ର ସହସ୍ର ଖଦ୍ୟୋତର ନୀଳାଭ ମୃଦୁ ଆଲୋକ ସ୍ଫୁରିତ ହେଉଥିଲା । ଗୋଚାରଣକ୍ଷେତ୍ର-ପ୍ରତ୍ୟାବୃତ୍ତ ଗାଭୀସମୂହର ହମ୍ବାରବ, କୃଷକ ବାଳକଗଣଙ୍କ ମଧୁର ସଙ୍ଗୀତ ଏବଂ ଲତାଗୁଳ୍ମ ଅନ୍ତରାଳବର୍ତ୍ତୀ ଝିଲ୍ଲି ସମୂହର ଅଶ୍ରାନ୍ତ ଧ୍ୱନି ମିଶି ଯେ ଶବ୍ଦସମନ୍ୱୟର ସୃଷ୍ଟି କରୁଥିଲା, ତାହା ଭାବୁକମାନଙ୍କ ଅମୂଲ୍ୟ ସମ୍ପତ୍ତି,–ଜୀବନସଂଗ୍ରାମର କଠୋରତାପ୍ରସୂତ କର୍ମଶ୍ରାନ୍ତ, ଭାରକ୍ଳାନ୍ତ ମାନବ ହୃଦୟର କଠୋରତାପ୍ରସୂତ କର୍ମଶ୍ରାନ୍ତ, ଭାରକ୍ଳାନ୍ତ ମାନବ ହୃଦୟର ବିଶ୍ରାମଧ୍ୱନି ମାତ୍ର ।

 

ରାତ୍ରିରେ ବୋଟର ଛାତ ଉପରେ ବସିଲାବେଳେ ପ୍ରକୃତିର କମନୀୟ କାନ୍ତି ଦର୍ଶନ କରି ପ୍ରାଣରେ ସୁଖ ତରଙ୍ଗ ଖେଳୁଥିଲା । ଶାରଦୀୟଚନ୍ଦ୍ର ସମୁଜ୍ଜ୍ୱଳ ସ୍ପଟିକସ୍ୱଚ୍ଛ ନୀଳାକାଶ, କ୍ଷରିତଜ୍ୟୋତ୍ସ୍ନାପ୍ଳାବିତ ଶସ୍ୟଶ୍ୟାମଳା ସ୍ତବ୍ଧପ୍ରକୃତି, ରଜତ ଶୁଭ୍ର କିରଣଧାରାସ୍ପୀତ ପଲ୍ଲବଶାଳୀ ବିଟପୀ, ଚନ୍ଦ୍ରମା-ପ୍ରତିବିମ୍ବ-ଉଦ୍ଭାସିତ ବର୍ଷାପୁଷ୍ଟ ନଦୀପ୍ରଭୃତିର ଶୋଭା, ତହିଁରେ କ୍ଷଣେ କ୍ଷଣେ ଟିଟ୍ଟିଭର ସ୍ୱର-ଲହରୀ ମୋହର ମନକୁ ଉଡ଼ାଇ ନେଇ ମୋହର ପରମାରାଧ୍ୟ ୰ପିତୃଦେବଙ୍କ

 

‘‘ସର ପାଟୁଁ ଉଡ଼ି ସୁଖେ ଭାସି ଭାସି

ତରଳ ଶଶି-ମୟୂଖେ

ନଭେ ରାବି ରାବି ଯାଉଛି ଟେଣ୍ଟୋଇ

ସୁନୀଳ ଚିଲିକା ମୁଖେ ।’’

ଏହି ଉଭୟ ପଂକ୍ତି ଆବୃତ୍ତି କରାଇଦେଲା ।

 

ପରଦିନ ପ୍ରତ୍ୟୁଷରୁ ରାଜ-କନିକା ପ୍ରାସାଦରେ ଉପସ୍ଥିତ ହୋଇ ରାଜା ମହୋଦୟଙ୍କ ସହିତ ମିଳିତ ହେଲି । ସମସ୍ତ ଦିବସଟି ରାଜାଙ୍କ ସହିତ ସରସ କଥୋପକଥନର ତରଙ୍ଗରେ ଅତିବାହିତ ହେଲା ।

 

ଆଜି ୨୨ ତାରିଖ ସେପ୍ଟେମ୍ବର ସୁନିଆ । ୧୩୨୦ ସାଲର ଆରମ୍ଭ । ସୂର୍ଯ୍ୟୋଦୟ ପୂର୍ବରୁ ପ୍ରାସାଦ ସମ୍ମୁଖସ୍ଥ ପଡ଼ିଆରୁ ବାଦ୍ୟରୋଳ ନିଦ ଭଙ୍ଗାଇ ଦେଲା । ପୂର୍ବ ରାତ୍ରିରୁ ସାଜସଜ୍ଜାର ସମସ୍ତ ଆୟୋଜନ ହୋଇଥିଲା । ମାର୍ଗର ତୋରଣ, ଆମ୍ର ପଲ୍ଲବ ଏବଂ କଦଳୀ ବୃକ୍ଷର ସଜ୍ଜା ପ୍ରଭୃତି ସୁନ୍ଦର ଦିଶୁଥିଲା ।

 

ପୂର୍ବାହ୍ନ ୮ ଘଟିକା ସମୟରେ ଦୂରରୁ ଜଣେ ବନ୍ଧୁଙ୍କ ସୁନିଆ ଭେଟି ପହଞ୍ଚିଲା । ରାଜା ମହୋଦୟ ସ୍ୱରାଜ୍ୟରୁ ଗୋଟିଏ ପ୍ରକାଣ୍ଡ କୁମ୍ଭୀର ଶିକାର କରି ଛାଲଟି ବନ୍ଧୁବରଙ୍କୁ ପୂର୍ବେ ଉପହାର ଦେଇଥିଲେ । ବନ୍ଧୁବର ସେହି ଛାଲରେ ଗୋଟିଏ ଅତ୍ୟୁତ୍କୃଷ୍ଟ ବେଗ [Bag] ପ୍ରସ୍ତୁତ କରି ସୁନିଆ ଦିନର ଭେଟିସ୍ୱରୂପ ରାଜାଙ୍କ ନିକଟକୁ ପ୍ରେରଣ କରିଅଛନ୍ତି । ତାହା ମଧ୍ୟ ଠିକ୍‌ ସମୟରେ ଏଠାରେ ପହଞ୍ଚିଅଛି । ତାହାଙ୍କ ପତ୍ରରେ ଏତିକି ଲିଖିତ ଥିଲା ।

 

"I am sending you a "Sunia Bheti" from the most unpleasant part of your estate. The crocodile which ate up your tenants can do some grand services to you."

 

ଏହି ଉକ୍ତିର ଯାଥାର୍ଥ୍ୟ ସେ ପ୍ରକୃତ କାର୍ଯ୍ୟରେ ପରିଣତ କରିଥିବାର ଦେଖି ସମସ୍ତେ ସୁଖୀ ହେଲୁଁ ।

 

ପୂର୍ବାହ୍ନ ୧୦ ଘଟିକା ଉତ୍ତାରୁ ରାଜବିଧିକ୍ରମେ ସୁନିଆ ପୂଜା ଆରମ୍ଭ ହେଲା । ବିଲାତ ପ୍ରତ୍ୟାଗତ ରାଜାଙ୍କଠାରେ ସମସ୍ତ ପ୍ରାଚୀନ ବିଧି ଅବଲୋକନ କରି ମନରେ ଆନନ୍ଦସ୍ରୋତ ଉଛୁଳି ଉଠିଲା । ବ୍ରାହ୍ମଣଭୋଜନ ପ୍ରଭୃତି ଅନ୍ୟାନ୍ୟ କାର୍ଯ୍ୟମାନ ଶେଷ ହେଉଁ ହେଉଁ ଅପରାହ୍ଣ ହୋଇଗଲା-

 

ଅପରାହ୍ଣ ୫ ଘଟିକା ଉତ୍ତାରୁ ରୀତିମତ ସୁନିଆଭେଟି ପ୍ରାସାଦରେ ଆରମ୍ଭ ହେଲା । ଏଠାରେ କେବଳ କର୍ମଚାରୀବର୍ଗ (ଅନୁମାନ ୧୫୦ ଜଣ) ଭେଟି ପ୍ରଦାନ କରିଥିଲେ । ପ୍ରଜାମାନଙ୍କ ଭେଟି ରାଜକଚେରିରେ ହୁଏ । ଏଣୁ ସନ୍ଧ୍ୟା ପୂର୍ବରୁ ରାଜା ମହୋଦୟଙ୍କ କଚେରୀକୁ ଶୋଭାଯାତ୍ରା ସକାଶେ ସମସ୍ତ ଆୟୋଜନ ଅନୁଷ୍ଠିତ ହେଲା ।

 

ଜନକଲ୍ଲୋଳ-ମୁଖରିତ, ଆଲୋକମାଳା-ଦୀପ୍ତି-ସମୁଜ୍ଜ୍ୱଳ ରାଜକନିକା ଗଡ଼ରେ ସେହି ସନ୍ଧ୍ୟାରେ ଜନସ୍ରୋତ ପ୍ରବଳ ବେଗରେ ପ୍ରବାହିତ ହେଉଥିଲା । ଜନସଙ୍ଘ ଆନନ୍ଦ ଉଲ୍ଲାସରେ ଶଶବ୍ୟସ୍ତ ! ବ୍ୟସ୍ତତାର ଅନାହତ-ଝଙ୍କାର ବାୟୁତରଙ୍ଗରେ ଭାସି ଆସି ନିଶ୍ୱାସପ୍ରଶ୍ୱାସରେ ଉତ୍ସାହର ସଞ୍ଚାର କରୁଥିଲା ।

 

ଶୋଭାଯାତ୍ରା ଆରମ୍ଭ ହେଲା । ରାଜା ମହୋଦୟ ଗୋଟିଏ ସଜ୍ଜିତ ତାଞ୍ଜମରେ ଏବଂ ମୁଁ ଗୋଟିଏ ପାଲିଙ୍କିରେ ଆରୋହଣ କରି କଚେରି ଅଭିମୁଖରେ ଚାଲିଲୁଁ । ଚତୁର୍ଦ୍ଦିଗରେ ଆଲୋକମାଳା, ବାଦ୍ୟଧ୍ୱନି, ଲୋକ-କୋଳାହଳ ଏବଂ ବମ୍‌ ଓ କୁମ୍ପି ବାଣ ପ୍ରଭୃତିର ଗମ୍ଭୀର ନିନାଦ ମଧ୍ୟ ଦେଇ ଅର୍ଦ୍ଧମାଇଲ ଦୂରବର୍ତ୍ତୀ କଚେରିରେ ଉପସ୍ଥିତ ହେବାକୁ ପ୍ରାୟ ଦେଢ଼ ଘଣ୍ଟା ଲାଗିଥିଲା । ପ୍ରଜାମାନଙ୍କ ଉତ୍ତରୋତ୍ତର ‘‘ହରିବୋଲ’’ ଧ୍ୱନି ଆମ୍ଭମାନଙ୍କ ପକ୍ଷରେ ଇଂରାଜୀ ଭାଷାର Horrible ହୋଇଥିଲା ସତ୍ୟ, ରଜାଙ୍କ ମଙ୍ଗଳକାମନା ସକାଶେ ୫।୬ ସହସ୍ର ପ୍ରଜାମାନଙ୍କ ଏଭଳି ଘନ ଘନ ‘‘ହରିବୋଲ’’ ଧ୍ୱନିରେ ଗୋଟିଏ ଅତି ମହତ୍‌ ଏବଂ ଉଦାର ଭାବ ରହିଅଛି ସନ୍ଦେହ ନାହିଁ ।

 

ରାଜକଚେରିର ସମ୍ମୁଖସ୍ଥ ପ୍ରାଙ୍ଗଣରେ ସଭା ସଜ୍ଜିତ ହୋଇଥିଲା । ସଭାସଜ୍ଜାର ଚିରନ୍ତନ ପ୍ରଥା ସମସ୍ତେ ପରିଜ୍ଞାତ, ଏଣୁ ଏହାର ବିସ୍ତୃତ ବର୍ଣ୍ଣନା ଅନାବଶ୍ୟକ । ସଭାର ଏକ ପ୍ରାନ୍ତରେ ରାଜା ଉପବେଶନ କଲେ, ଅନ୍ୟ ସମସ୍ତ ଅଂଶ ରାଜକର୍ମଚାରୀ ଏବଂ ପ୍ରଜାମାନଙ୍କ କର୍ତ୍ତୃକ ଅଧିକୃତ ହେଲା । ରୀତିମତ ଭେଟି ଏବଂ ରାଜ-ପ୍ରସାଦ ସ୍ୱରୂପ ପୁଷ୍ପମାଳା ଓ ତାମ୍ୱୂଳ ବିତରଣରେ ପ୍ରାୟ ଦୁଇ ଘଣ୍ଟା ସମୟ ଅତିବାହିତ ହୋଇଗଲା । ଏହି ଭେଟି ସମୟରେ ପ୍ରଜାମାନଙ୍କ ଅସାଧାରଣ ଭକ୍ତି ଦୃଷ୍ଟ ହେଲା । ବୃଦ୍ଧ ଏବଂ ଅବସ୍ଥାସମ୍ପନ୍ନ ପ୍ରଜାମାନଙ୍କ ‘‘ଭୂପା ଲୋକାନାଂ ଦୃଶ୍ୟଦେବତାଃ’’ ଏହି ନୀତିବାକ୍ୟରେ ଆସ୍ଥାବାନ୍‌ ହୋଇ ଦଣ୍ଡ ପ୍ରଣାମଦ୍ୱାରା ଭକ୍ତିର ପରାକାଷ୍ଠା ସୂଚିତ ହୋଇଥିଲା । ଅବସ୍ଥାସମ୍ପନ୍ନ ପ୍ରଜାମାନଙ୍କ ମଧ୍ୟରେ ହାଡ଼ିବନ୍ଧୁ ଚୌଧୁରୀଙ୍କ ନାମ ଉଲ୍ଲେଖଯୋଗ୍ୟ । ଏ ମହାଶୟ ଜାଗୁଳା ଗ୍ରାମନିବାସୀ ଅଟନ୍ତି, Local Board ର ମେମ୍ବର ଏବଂ Honorary Magistrate, ଏହାଙ୍କ ଚାଷର ପରିମାଣ ୧୭୦୦ ଏକର—ଏଥିରୁ ଅନୁମିତ ହେବ, ଉତ୍କଳର ଅନେକ ଜମିଦାରଙ୍କଠାରୁ ଏହାଙ୍କ ଚାଷର ପରିମାଣ ବେଶି । ଆଉ ଜଣେ ପ୍ରକୃତ ସତ୍‌, ନ୍ୟାୟବାନ୍‌ ଓ ବିଚକ୍ଷଣ ପ୍ରଜା ଚୌଧୁରୀ ଚିନ୍ତାମଣି ସାମନ୍ତରାୟ । ଏ ମହାଶୟଙ୍କ ସାରଲ୍ୟ ଏବଂ ଉଦାରତା ପ୍ରକୃତ ପ୍ରଶଂସନୀୟ ।

 

ସର୍ବଶେଷରେ ଉପାଧି ପ୍ରଦାନ ଆରମ୍ଭ ହେଲା । ଏହି ଉପାଧି ପ୍ରଦାନ ପ୍ରତିବର୍ଷ ଯୋଗ୍ୟତମ ପ୍ରଜାମାନଙ୍କୁ ସୁନିଆ ଦିନ ପ୍ରଦତ୍ତ ହୋଇଥାଏ । ଉପାଧିଗୁଡ଼ିକ ପ୍ରାଚୀନ ରୀତିର, ପ୍ରଦାନର କ୍ରମ ମଧ୍ୟ ଚିରାଚରିତ ନୀତିର । ଉପାଧିପ୍ରାପ୍ତ ବ୍ୟକ୍ତିଙ୍କୁ ସୁପରିଣ୍ଟେଣ୍ଡେଣ୍ଟ ବାବୁ ଇନ୍ଦ୍ରମଣି ମହାନ୍ତି ପ୍ରତ୍ୟେକ ଉପାଧିର ସନନ୍ଦ ପଢ଼ି ଶୁଣାଇ ଦେଉଥାନ୍ତି ଏବଂ ସେହି ସନନ୍ଦ ରାଜା ମହୋଦୟଙ୍କ କର୍ତ୍ତୃକ ତାହାଙ୍କ ହାତରେ ପ୍ରଦତ୍ତ ହେଉଥାଏ । ଏ ବର୍ଷ ସର୍ବସମେତ ୨୦ ଗୋଟି ଉପାଧି ପ୍ରଦତ୍ତ ହେଲା ।

 

ଉପାଧି ଗୁଡ଼ିକର ନାମ ଏବଂ ସନନ୍ଦର ନକଲ ନିମ୍ନରେ ପ୍ରଦତ୍ତ ହେଲା :—

 

୧.

ଚୌଧୁରୀ ।

୧୧.

ମହାପାତ୍ର ।

୨.

ବଦାନ୍ୟବ୍ରହ୍ମ ।

୧୨.

ଚମ୍ପତିରାୟ ।

୩.

ଭକ୍ତବ୍ରହ୍ମ ।

୧୩.

ଦଳପତିରାୟ ।

୪.

ଶିଳ୍ପରତ୍ନ ।

୧୪.

ମହାରଥୀ ।

୫.

ବିଶ୍ୱାସରାୟ ।

୧୫.

ଗଜେନ୍ଦ୍ର ।

୬.

ଉତ୍ତରରାୟ ।

୧୬.

ପ୍ରତାପସିଂହ ।

୭.

ବଳୀଆରରାୟ ।

୧୭.

ମହାଭୋଇ ।

୮.

ଦକ୍ଷିଣରାୟ ।

୧୮.

ଗଉଡ଼ମଣି ।

୯.

ମଦନରାୟ ।

୧୯.

ମଉଜବାଡ଼ ।

୧୦.

ସୁଜନମଣି ।

୨୦.

ପାଲ୍ଟା ସିଂହ ।

 

ସନନ୍ଦର ନକଲ

ମୟୂରରୂପ

 

କିଲ୍ଲା କନିକାର ସମସ୍ତ ପ୍ରଜାମାନଙ୍କ ନାମେ ଉଲ୍ଲୁରି :—

 

ଶ୍ରୀ କନିକାଧୀଶ୍ୱର ରାଜେନ୍ଦ୍ରାବ୍ଦ ୧୭, ସନ ୧୩୨୦ ସାଲ କନ୍ୟା ମାସ ଦି ୯ ନ ସୋମବାର ରାଜକନିକା ନବର ରହଣିରେ ଆଜ୍ଞା କଲାଇଁ— । ଇ । । ମୌ । ନିବାସୀ ଶ୍ରୀ ଙ୍କୁ ଉପାଧି ପ୍ରଦତ୍ତ ହେଲା । ଇତି ।.

 

ମୋହର

ରାଜା । କି । କନିକା ।

 

ସଭାଭଙ୍ଗ ଉତ୍ତାରୁ ପ୍ରଜାମାନଙ୍କ ଭୋଜନ ଆରମ୍ଭ ହେଲା । ପ୍ରାୟ ସାତହଜାର ପ୍ରଜାଙ୍କ ଭୋଜନ ଶେଷ ହେଲାବେଳକୁ ରାତ୍ରି ପ୍ରଭାତ । ଚାରି ସ୍ଥାନରେ ରନ୍ଧନର ବ୍ୟବସ୍ଥା ହୋଇଥିଲା ଏବଂ ଏହି ବ୍ୟାପରରେ ବଡ଼ରୁ ସାନ ପର୍ଯ୍ୟନ୍ତ ସମସ୍ତ ରାଜକର୍ମଚାରୀ ନିଯୁକ୍ତ ଥିବାରୁ କୌଣସି ଗଣ୍ଡଗୋଳ ହୋଇନାହିଁ ଏବଂ ପ୍ରାତଃକାଳରୁ ସମସ୍ତେ ହୃଷ୍ଟଚିତ୍ତରେ ସ୍ୱ ସ୍ୱ ଗ୍ରାମକୁ ପ୍ରତ୍ୟାବର୍ତ୍ତନ କଲେ ।

 

ସମସ୍ତ ଦିବସଟି ଆମୋଦ ଓ ଗଳ୍ପରେ କଟିଲା । ଏହି ସତ୍‌-ସୁହୃତ୍‌-ସଂସର୍ଗ-ସଞ୍ଜାତ ଅକ୍ଷୁଣ୍ଣ ଆନନ୍ଦପ୍ରବାହରେ ସମସ୍ତେ ମଜ୍ଜି ରହିଥିଲୁଁ ।

 

ସନ୍ଧ୍ୟା ଉତ୍ତାରୁ ରାଜବାଟୀରେ ଓଡ଼ିଆ ଯାତ୍ରା ହେଲା । କେନ୍ଦ୍ରାପଡ଼ା ନସଡ଼ିପୁରଠାରୁ ଆଗତ ଯାତ୍ରାଦଳ କଂସବଧ ଯାତ୍ରା କରିଥିଲେ । ଏହି ଯାତ୍ରାଦଳରେ ପୂର୍ଣ୍ଣ ବିଶେଷତ୍ୱ ରହିଅଛି । ଓଡ଼ିଆ ଯାତ୍ରା ମଧ୍ୟରେ ବାମଣ୍ଡା ରାଜ୍ୟର କୋଚିଣ୍ଡାସ୍ଥିତ ଯାତ୍ରାଦଳ ଏବଂ କେନ୍ଦ୍ରାପଡ଼ାର ଏହି ଯାତ୍ରାଦଳ ଏହି ଉଭୟ ଯାତ୍ରାହିଁ ସମଗ୍ର ଉତ୍କଳରେ ବିଶେଷତ୍ୱ ଦେଖାଇବାକୁ ସମର୍ଥ ହୋଇଅଛିନ୍ତି ବୋଲି ମୁଁ ମନେ କରେ । ଉଭୟ ଯାତ୍ରା ମୁଁ ଦେଖିଅଛି; ଉତ୍କଳର ଅନେକ ଯାତ୍ରା ଦେଖି ଏହି ତୁଳନା କରିବାକୁ ମୁଁ ବାଧ୍ୟ । ଉତ୍କଳର ଯାତ୍ରାଦଳଗୁଡ଼ିକ ପ୍ରତି ଅବସ୍ଥାପନ୍ନ ବ୍ୟକ୍ତିଙ୍କ ସହାନୁଭୂତି ନ ଥିବା ହେତୁରୁ ଯାତ୍ରାଗୁଡ଼ିକର ଦୁର୍ଦ୍ଦଶାର ସୀମା ନାହିଁ । ଏ ବିଷୟରେ ବଙ୍ଗସମାଜ ସମ୍ପୂର୍ଣ୍ଣ ଅଗ୍ରସର । ବଙ୍ଗଦେଶର ଜଣେ ସାମାନ୍ୟ ହାଡ଼ି ସୁଦ୍ଧା ମହାଭାରତ ଓ ରାମାୟଣର କଥାଗୁଡ଼ିକ ଜାଣେ, ଅତି ଅଳ୍ପବୟସ୍କ ପିଲା ସୁଦ୍ଧା ରାମାୟଣବର୍ଣ୍ଣିତ ଉପାଖ୍ୟାନାଂଶ ଜାଣନ୍ତି । ଏହାର ପ୍ରଧାନ କାରଣ ବଙ୍ଗୀୟ ଯାତ୍ରାର ଉତ୍କର୍ଷବିଧାନ । ଏହି ଉତ୍କୃଷ୍ଟତା ସକାଶେ ବଙ୍ଗୀୟ ସାନଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତ ବ୍ୟକ୍ତି ଦାୟୀ । ସମସ୍ତଙ୍କର ଯାତ୍ରା ଦେଖିବାର ଆଗ୍ରହ ଅଛି ଏବଂ ଯାତ୍ରାର ଉନ୍ନତି ସକାଶେ ସମସ୍ତେ କ୍ରମେ କ୍ରମେ ବଦ୍ଧପରିକର । ଉତ୍କଳରେ ଅବସ୍ଥାପନ୍ନ ବ୍ୟକ୍ତିବର୍ଗ ଓଡ଼ିଆ ଯାତ୍ରାର ନାମରେ ନାସିକା କୁଞ୍ଚିତ କରିବା ଅନେକ ସ୍ଥଳରେ ଦେଖିଅଛି, ମାତ୍ର ଓଡ଼ିଆ ଯାତ୍ରାର ଉନ୍ନତି ନ ହେବାର ଦାୟୀ କିଏ ? ସେମାନଙ୍କ ସହାନୁଭୂତି ଓ ଚେଷ୍ଟାଦ୍ୱାରା ଏହି ଉନ୍ନତି ୫।୬ ବର୍ଷ ମଧ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ହୋଇପାରେ । ମାତ୍ର ଏଥିରେ କେହି ମନୋଯାଗୀ ହେବେ କି ? ଯାତ୍ରାର ଉନ୍ନତିବିଧାନ ସାହିତ୍ୟସେବୀ ଏବଂ ସାହିତ୍ୟ ଶୁଭାକାଂକ୍ଷୀ ବ୍ୟକ୍ତିଙ୍କ କର୍ତ୍ତବ୍ୟ ନୁହେ କି ? ଓଡ଼ିଆ ଯାତ୍ରାର ଉତ୍କୃଷ୍ଟପ୍ରଣାଳୀ ନିମ୍ନଶ୍ରେଣୀର ଲୋକଙ୍କ ମନରେ ପୌରାଣିକ ଏବଂ ସାହିତ୍ୟିକ ଭାବର ସହାୟତା କରିବ, ଏହା ସୁନିଶ୍ଚିତ । କୋଚିଣ୍ଡା ଏବଂ କେନ୍ଦ୍ରାପଡ଼ାସ୍ଥ ଓଡିଆ ଯାତ୍ରାଦଳର ସର୍ବତ୍ର ଅନୁକରଣ ହେବାର ଉଚିତ ଏବଂ ଏହି ଔଚିତ୍ୟ ସକାଶେ ଅବସ୍ଥାପନ୍ନ ବ୍ୟକ୍ତିବର୍ଗଙ୍କ ଦାୟୀ ହେବା କର୍ତ୍ତବ୍ୟ ।

 

କଂସବଧ ଯାତ୍ରାର ଅଭିନୟଗୁଡ଼ିକ ଅତି ହୃଦୟହାରୀ ହୋଇଥିଲା, ଗୀତଗୁଡ଼ିକ ମଧ୍ୟ ସୁମଧୁର ହୋଇଥିଲା । କି ବେଶଭୂଷା, କି ସଙ୍ଗୀତ ଓ ବାଦ୍ୟପଟୁତାରେ ଏହି ଦଳଟି ସମସ୍ତଙ୍କର ମନୋହରଣ କରିଥିଲା । ପ୍ରଭାତଜ୍ଞାପକ ଗୋଟିଏ ବର୍ଣ୍ଣନା କଂସରାଜାଙ୍କ ଦୌବାରିକ-ମୁଖ-ନିଃସୃତ ଧାଡ଼ି ଦ୍ୱୟ—

 

ପାହାନ୍ତିଆ ରାବ ଦେଲେ କଳା କୁକୁଡ଼ା,

ମେଣ୍ଢାଧଡ଼ା କାଢ଼ି ଦେ ରେ ବାଳୁଙ୍ଗା ବୁଢ଼ା’’ ।

 

ମୋତେ ବଡ଼ ସୁନ୍ଦର ବୋଧହେଲା । କେଡ଼େ ସାମାନ୍ୟ କଥାରେ ଉଷା ବର୍ଣ୍ଣନା ! ଅନ୍ୟ କୌଣସି ସାହିତ୍ୟ (ଇଂରାଜୀ ସାହିତ୍ୟ ମଧ୍ୟ) ଏହି ଭଳି ସାମାନ୍ୟ ଶବ୍ଦରେ ପ୍ରକୃତି ବର୍ଣ୍ଣନାକୁ ନିଶ୍ଚୟ ସମଧିକ ଶ୍ରଦ୍ଧା କରିବେ, ମାତ୍ର ଆମ୍ଭେମାନେ ଏହାକୁ ‘ଦ୍ୱାରୀଗୀତ’ ବୋଲି ଘୃଣା କରିବୁଁ—ଆମ୍ଭମାନଙ୍କ ପ୍ରକୃତି ଏହି ଭଳି !

 

ଆଜି ରାଜା ମହୋଦୟଙ୍କ ସହିତ ନିଜ ରାଜ୍ୟସ୍ଥ ଯାତ୍ରାଦଳର ସଂସ୍କାର ବିଷୟରେ କଥୋପକଥନ ହେଲା । ରାଜ-କନିକାରେ ଗୋଟିଏ ଦଳ ଅଛି, ସେହି ଦଳକୁ ଉତ୍କୃଷ୍ଟ ପ୍ରଣାଳୀରେ ଶିକ୍ଷା ଦେବା ସକାଶେ ମାସିକ ଟ ୧୨୧ ସାହାଯ୍ୟ କରିବା ପାଇଁ ସେ ପ୍ରତିଶ୍ରୁତି ହେଲେ । ମୋହର କ୍ଷୁଦ୍ର ମତରେ ଏହିପରି ସାହାଯ୍ୟ ପ୍ରଦାନ ଏବଂ ଦୃଷ୍ଟି ସର୍ବତ୍ର ବାଞ୍ଛନୀୟ ।

 

କନିକା ରାଜ୍ୟର ସମସ୍ତ ଅଂଶ ମୁଁ ଅବଧି ଅବଲୋକନ କରି ନାହିଁ । ପୂର୍ବେ (Coast Canal)ରେ ଷ୍ଟିମର ବାଲେଶ୍ୱର ଯାଉଥିବା ସମୟରେ କନିକାର କୁମ୍ଭୀରପୂର୍ଣ୍ଣା ମତେଇ ନଦୀ ମଧ୍ୟରେ ଯାଇଥିଲି, କନିକାର ସୁବିଖ୍ୟାତ ‘‘ଧାମରା’’ ମୁହାଣର କିୟଦଂଶ ଦେଖିଥିଲି । ‘‘ଧାମରାମୁହାଣ’’ ର ‘‘ପାଣ୍ଡୁଜଳାରଣ୍ୟ’’ ପ୍ରକୃତ ଦର୍ଶନୀୟ । ‘‘ସାତଭାୟା’’ ନାମକ ସମୁଦ୍ରତୀରବର୍ତ୍ତୀ ସ୍ଥାନ କନିକା ରାଜ୍ୟ ମଧ୍ୟରେ କାହିଁକି, ସମଗ୍ର ଉତ୍କଳରେ ଫେନିଳ, ନୀଳ, ଅନନ୍ତ ସମୁଦ୍ରଶୋଭାର ଉପଭୋଗ୍ୟ ସ୍ଥାନରୂପେ ପରିଗଣିତ । ତରଙ୍ଗଭଙ୍ଗପ୍ରକ୍ଷିପ୍ତ ଫେନରାଶିର ଭୀଷଣ ସୌନ୍ଦର୍ଯ୍ୟ ଉପଲବ୍ଧି କରିବାକୁ ହେଲେ ‘‘ସାତଭାୟା’’ରେ ନିର୍ମିତ ରାଜା ବାହାଦୂରଙ୍କ ପ୍ରକାଣ୍ଡ ବଙ୍ଗଳାରେ କିଛି ଦିନ କଟାଇବା କର୍ତ୍ତବ୍ୟ । ମୋହର ପରମାରାଧ୍ୟ ୰ପିତୃଦେବ ‘‘ସତଭାୟା’’ରେ କିଛିଦିନ ରହିବାକୁ ମାନସ କରିଥିଲେ, ମାତ୍ର ଅନ୍ୟାନ୍ୟ ବିଷୟ ପରି ଏହା ଅକାଳରେ ତାହାଙ୍କ ମାନସରେ ଲୀନ ହୋଇଗଲା । ଆମ୍ଭେମାନେ ମନରେ ଭାବିଥାଉଁ ‘‘ଏହା କରିବୁଁ’’—ଆଉ ଜଣେ ମନରେ ଭାବନ୍ତି ଅନ୍ୟ-। ଆମ୍ଭମାନଙ୍କ କାର୍ଯ୍ୟ ‘‘ଦୃଷ୍ଟ’’; ତାହାଙ୍କ କାର୍ଯ୍ୟ ‘‘ଅଦୃଷ୍ଟ’’ ।

 

କନିକା ରାଜ୍ୟରେ ଚାରିଗୋଟି ସବ୍‌ଡ଼ିଭିଜନ ଅଛି । ପ୍ରତ୍ୟେକ ସବ୍‌ଡ଼ିଭିଜନରେ ରାଜକୀୟ ସମସ୍ତ କାର୍ଯ୍ୟାଳୟ ରହିଅଛି । କଟକ ଜିଲ୍ଲାରେ ଦିଓଟି ସବ୍‌ଡ଼ିଭିଜନ:—ଛମୁକା ଏବଂ କେରେଡ଼ା କଳାଦ୍ୱୀପ; ଏବଂ ବାଲେଶ୍ୱର ଜିଲ୍ଲାରେ ଦିଓଟି:—ମତୋ ଏବଂ ଘଣ୍ଟେଶ୍ୱର । ଚାନ୍ଦବାଲିଠାରୁ ଯେଉଁ ସଡ଼କ ଭଦ୍ରକ ପର୍ଯ୍ୟନ୍ତ ବିସ୍ତୃତ, ସେହି ସଡ଼କରେ ମତୋ ସବ୍‌ଡ଼ିଭିଜନର କଚେରୀ । ଚାନ୍ଦବାଲିଠାରୁ ଭଦ୍ରକ ଷ୍ଟେସନ ପ୍ରାୟ ୩୫ ମାଇଲ, ସୁତରାଂ ରେଲମାର୍ଗରେ କନିକା ଆସିବା ମଧ୍ୟ କଷ୍ଟକର ନୁହେ । ତେଣେ କଲିକତାରୁ ସମୁଦ୍ରପଥରେ କନିକା ପ୍ରାୟ ୨୨ ଘଣ୍ଟାର ବାଟ । ସମୁଦ୍ରଗାମୀ ଷ୍ଟିମର ପ୍ରତି ସପ୍ତାହରେ ୨।୩ ଥର ଆସୁଅଛି ।

 

କନିକା ରାଜ୍ୟର ଲୋକସଂଖ୍ୟା ପ୍ରାୟ ଏକ ଲକ୍ଷ । ସମସ୍ତ ରାଜ୍ୟର ଭୂମିର ପରିମାଣ ଦୁଇ ଲକ୍ଷ ଏକାଅଶୀ ହଜାର ଚାରିଶ ଅଠସ୍ତରୀ ଏକର । ଏଥିରୁ ୧୦୩୬୩୮ ଏକର କେବଳ ଜଙ୍ଗଲ, ନଦୀ, ନାଳ ଓ ବାଲିଅବଶିଷ୍ଟ ୧୭୭୮୩୯ ଏକର ଭୂମି ଗ୍ରାମ ଏବଂ ଚାଷଜମି । ସମୁଦ୍ରତୀରବର୍ତ୍ତୀ ଅଂଶ ଜଙ୍ଗଲରେ ପରିପୂର୍ଣ୍ଣ ଏବଂ ‘‘ଭିତର କନିକା’’ ନାମକ ଅଂଶବିଶେଷର ଜଙ୍ଗଲଗୁଡ଼ିକ ପୂର୍ବେ ମୋଗଲ ଏବଂ ମରହଟ୍ଟାମାନଙ୍କ ଆକ୍ରମଣରୁ ରକ୍ଷା ପାଇବା ସକାଶେ କନିକାର ପୂର୍ବ ରାଜାମାନଙ୍କଦ୍ୱାରା ବ୍ୟବହୃତ ହେଉଥିଲା । ଏହି ସବୁ ଜଙ୍ଗଲ ମଧ୍ୟରେ ପ୍ରାୟ ସମସ୍ତ ପ୍ରକାର ଜନ୍ତୁର ବିଚରଣ ଦେଖାଯାଏ, ମାତ୍ର କୃଷ୍ଣସାର ହରିଣର ପରିମାଣ ଅତ୍ୟଧିକ । କୃଷ୍ଣସାରର ଚର୍ମ ବ୍ରାହ୍ମଣଙ୍କ ପକ୍ଷରେ ଦୁର୍ଲଭ ସାମଗ୍ରୀ, ଉପନୟନ ସମୟରେ ଏହାର ବ୍ୟବହାର ଚିରପ୍ରସିଦ୍ଧ । କିନ୍ତୁ ଏହି ଜନ୍ତୁ ସମୁଦ୍ରୋପକୂଳ ବ୍ୟତୀତ ଅନ୍ୟତ୍ର କ୍ୱଚିତ୍‌ ଦୃଷ୍ଟ ହୁଅନ୍ତି ।

 

ଜଳଚର ପକ୍ଷିରେ କନିକା ରାଜ୍ୟ ପରିପୂର୍ଣ୍ଣ । ରାଜହଂସ, ସରାଳି, ଗେଣ୍ଡାଳିଆ, ଡାହୁକ ଏବଂ ପାଣିକୁଆ ପ୍ରଭୃତି ସର୍ବତ୍ର ଦୃଷ୍ଟ ହୁଏ । ଅନ୍ୟାନ୍ୟ ପକ୍ଷିସମୂହ ଦଳବଦ୍ଧ ହୋଇ ଶୀତକାଳରେ ଆସନ୍ତି ଏବଂ ଅନ୍ୟାନ୍ୟ ୠତୁରେ ଚାଲିଯାନ୍ତି ।

 

ଚାନ୍ଦବାଲି ବନ୍ଦର ପ୍ରସାଦରୁ କନିକା ରାଜ୍ୟର ବାଣିଜ୍ୟର ପ୍ରସାର କ୍ରମଶଃ ବୃଦ୍ଧିଲାଭ କରୁଅଛି । ଅନେକ ପୂର୍ବେ ସମୁଦ୍ର ମଧ୍ୟସ୍ଥିତ ଦ୍ୱୀପସମୂହରୁ ମୁକ୍ତା, ପ୍ରବାଳ ଏଠାକୁ ଆମଦାନି ହେଉଥିଲା—ବର୍ତ୍ତମାନ ରେଳପଥର ସୁଗମତା ହେତୁ ମୁକ୍ତା, ପ୍ରବାଳ ଆଜିକାଲି ସୁଲଭ । ଏହି ରାଜ୍ୟରେ ଲୁଣ ପ୍ରସ୍ତୁତ ହେଉଥିଲା ମାତ୍ର ୧୮୮୭ ସାଲରୁ ଏହା ବନ୍ଦ ହୋଇଅଛି । ଆଜିକାଲି ଧାନ ଏବଂ ଶୁଖୁଆର ରପ୍ତାନି ଅଜସ୍ରଭାବରେ ହେଉଅଛି । ମହୁରିଗାଁ ନାମକ ଗ୍ରାମଟି କନିକାର ବନ୍ଦର ଥିଲା, ସମୁଦ୍ରଗାମୀ ଜାହାଜ ଏଠାରେ ଆସି ଲାଗୁଥିଲା, ମାତ୍ର ୧୮୮୧ ସାଲରୁ ଚାନ୍ଦବାଲି ଏକମାତ୍ର ବନ୍ଦର ହୋଇଅଛି ।

 

ରାଜ୍ୟରେ ବଡ଼ ହାଟ ପାଞ୍ଚ ଗୋଟି । ଘଣ୍ଟେଶ୍ୱର, ମତୋ, ଗଞ୍ଜା, କେରେଡ଼ାଗଡ଼ ଏବଂ ରାଜନଗର । ଏହି ହାଟଗୁଡ଼ିକ ସପ୍ତାହରେ ଦୁଇଥର ବସେ ।

 

ମୟୂରଭଞ୍ଜ ରାଜବଂଶରୁ କନିକା ରାଜବଂଶର ଉତ୍ପତ୍ତି । ତ୍ରୟୋଦଶ ଶତାବ୍ଦୀରେ ମୟୂରଭଞ୍ଜ ରାଜାଙ୍କ ଜଣେ ଭ୍ରାତା ଭ୍ରାତୃବିବାଦରୁ ରାଜ୍ୟ ଛାଡ଼ି ଏହି ଅଂଶ ଅଧିକାର କରି କନିକା ନାମ ଦେଇଥିଲେ । ଏହାଙ୍କ ନାମ ଭୁଜବଳ ଭଞ୍ଜ । ପୂର୍ବେ କନିକାରେ ଅନ୍ତ୍ୟଜ ଜାତି ରାଜପଣ କରୁଥିଲେ ଏବଂ ରାଜା ଭୁଜବଳ ଭଞ୍ଜଙ୍କ ସମୟରୁ ଏହି ଭଞ୍ଜବଂଶର ରାଜତ୍ୱ ସୃଷ୍ଟିହେଲା ।

 

ରାଜା ଭୁଜବଳ ଭଞ୍ଜଙ୍କଠାରୁ ରାଜା ବଳଭଦ୍ର ଭଞ୍ଜଙ୍କ ପର୍ଯ୍ୟନ୍ତ ୨୮ ପୁରୁଷ । ଏହି ବଳଭଦ୍ର ଭଞ୍ଜଙ୍କ ସମୟରେ ୧୮୦୩ ଖ୍ରୀଷ୍ଟାବ୍ଦରେ ବ୍ରିଟିଶ ଗଭର୍ଣ୍ଣମେଣ୍ଟଙ୍କ ଇଷ୍ଟ ଇଣ୍ଡିଆ କୋମ୍ପାନୀ ଓଡିଶା ଅଧିକାର କରିବାରୁ ବଳଭଦ୍ରଭଞ୍ଜଙ୍କୁ କୋମ୍ପାନୀଙ୍କ ସହିତ ନୂତନ ସନ୍ଧି ସ୍ଥାପନ କରିବାକୁ ହେଲା । ଏହି ସନ୍ଧିରେ ୮୪୮୪୦ କାହାଣ କଉଡ଼ି କନିକାର ପେସ୍‌କିସ୍‌ ସ୍ୱରୂପ ଧାର୍ଯ୍ୟ ହେଲା ଏବଂ ୧୮୦୩ ସାଲର ୭ ତାରିଖ ଡିସେମ୍ବରରେ ଏହି ସନ୍ଧିପତ୍ର ସ୍ୱାକ୍ଷରିତ ହୋଇଥିଲା ।

 

ରାଜା ବଳଭଦ୍ରଭଞ୍ଜଙ୍କ ଉତ୍ତାରୁ ଜଗନ୍ନାଥ ଭଞ୍ଜ, ହରିହର ଭଞ୍ଜ ଏବଂ ବିନାୟକ ଭଞ୍ଜ ପ୍ରଭୃତିଙ୍କ ରାଜତ୍ୱ । ରାଜା ବିନାୟକ ଭଞ୍ଜଙ୍କର ଦୁଇ ପୁତ୍ର—ରାଜା ତ୍ରିବିକ୍ରମ ଭଞ୍ଜ ଏବଂ ରାଜା ପଦ୍ମନାଭ ଭଞ୍ଜ । ତ୍ରିବିକ୍ରମଙ୍କ ରାଜ୍ୟପ୍ରାପ୍ତିର ଅଳ୍ପ ଦିବସ ଉତ୍ତାରୁ ରାଜା ପଦ୍ମନାଭ ଏକ ମକଦ୍ଦମା ଆରମ୍ଭ କଲେ ଏବଂ ଏହି ମକଦ୍ଦମା ସାତବର୍ଷ ପର୍ଯ୍ୟନ୍ତ ଅର୍ଥାତ୍‌୧୮୫୭ ସାଲରେ ରାଜା ତ୍ରିବିକ୍ରମଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଚାଲିଥିଲା । ୧୮୫୭ ସାଲରେ ରାଜା ପଦ୍ମନାଭ ଭଞ୍ଜ ରାଜ୍ୟ ପାଇଲେ-

 

ରାଜା ପଦ୍ମନାଭ ଭଞ୍ଜଙ୍କ ରାଜ୍ୟପ୍ରାପ୍ତି ଉତ୍ତାରୁ ରାଜ୍ୟର ୠଣ ପ୍ରାୟ ୯ ଲକ୍ଷ ଟଙ୍କା ହାଇଥିଲା ଏବଂ ଏହି ହେତୁରୁ ୧୮୬୨ ସାଲରେ ରାଜା ଗଭର୍ଣ୍ଣମେଣ୍ଟଙ୍କୁ ସ୍ୱୀୟ ରାଜ୍ୟ ୧୦ ବର୍ଷ ସକାଶେ ଶାସନ କରିବାକୁ ଆବେଦନ କଲେ ଏବଂ ଏହି ଆବେଦନ ୧୮୬୨ ସାଲର ୪ ତାରିଖ ଏପ୍ରେଲରେ ମଞ୍ଜୁର ହୋଇ ରାଜ୍ୟ ଗଭର୍ଣ୍ଣମେଣ୍ଟଙ୍କ କର୍ତ୍ତୃକ ପରିଚାଳିତ ହେଲା ।

 

ଏହାର କିଛିଦିନ ଉତ୍ତାରୁ କନିକାରେ ବନ୍ଦୋବସ୍ତ କାର୍ଯ୍ୟ ଆରମ୍ଭ ହେଲା । ୧୮୬୫ ସାଲରେ ସିଭିଲ କୋର୍ଟ ରାଜା ପଦ୍ମନାଭ ଭଞ୍ଜଙ୍କୁ ‘‘ବାତୁଳ’’ ବୋଲି ସ୍ୱୀକାର କରିବାରୁ ପୁନଶ୍ଚ ରାଜ୍ୟ କୋର୍ଟଅଫ୍‌ ଓୟାର୍ଡ଼ସରେ ରହିଲା ।

 

ପୁଣ୍ୟଶୀଳା ରାଣୀ ଶ୍ରୀମତୀ କୃଷ୍ଣପ୍ରିୟା ପାଟମହାଦେଈଙ୍କ ଆବେଦନକ୍ରମେ ୧୮୮୪ ସାଲରେ ପୋଷ୍ୟପୁତ୍ର ଗ୍ରହଣ ମଞ୍ଜୁର ହେଲା ଏବଂ ରାଜା ନୃପେନ୍ଦ୍ର ନାରାୟଣଙ୍କୁ ପୋଷ୍ୟପୁତ୍ରରୂପେ ରାଜା ପଦ୍ମନାଭ ଭଞ୍ଜ ଗ୍ରହଣ କରିଥିଲେ । ଏଥିଉତ୍ତାରୁ ୧୮୯୧ ସାଲରେ ରାଜା ପଦ୍ମନାଭ ଭଞ୍ଜଙ୍କ ବିୟୋଗରେ ରାଜା ନୃପେନ୍ଦ୍ରନାରାୟଣ ଅପ୍ରାପ୍ତବୟସ୍କ ଅବସ୍ଥାରେ କଟକରେ ବିଦ୍ୟାଧ୍ୟୟନ କରୁଥିଲେ ।

 

ଏହି ନୃପେନ୍ଦ୍ରନାରାୟଣଙ୍କ ସ୍ମୃତି ଆଜି ପର୍ଯ୍ୟନ୍ତ ମୋ ହୃଦୟରେ ଲାଖି ରହିଅଛି । ସେହି ପବିତ୍ର, ସୁଧାପୂର୍ଣ୍ଣ ବାଲ୍ୟପ୍ରଣୟର ସ୍ମୃତି ଅତି ମଧୁର । ନୃପେନ୍ଦ୍ରନାରାୟଣଙ୍କୁ ଉପନୟନର ଅଳ୍ପଦିବସ ପରେ ୧୫ ବର୍ଷ ବୟଃକ୍ରମରେ କାଳ ଛଡ଼ାଇ ନେଇ ଗଲା । ରାମାୟଣ ବର୍ଣ୍ଣିତ ଦଶରଥଙ୍କ ବିୟୋଗରେ ତୈଳଦ୍ରୋଣିରେ ଶବ ନିମଜ୍ଜିତ ରଖିଲା ପରି ଏହାଙ୍କ ଶବ ପ୍ରାୟ ତିନି ଦିନ ତୈଳରେ ବୁଡ଼ି ରହିଲା । ଆଳିରାଜାଙ୍କ ପୁତ୍ର ଶ୍ରୀଯୁକ୍ତ ବଂଶୀଧର ଦେବ ରାଜେନ୍ଦ୍ର ନାରାୟଣ ନାମ ଧାରଣ କରି ପୋଷ୍ୟପୁତ୍ରରୂପେ ରାଣୀ କୃଷ୍ଣପ୍ରିୟାଙ୍କ କର୍ତ୍ତୃକ ଗୃହୀତ ହୋଇ କଟକରେ ଉପସ୍ଥିତ ହେବା ଉତ୍ତାରୁ ନୃପେନ୍ଦ୍ରନାରାୟଣଙ୍କ ଶବ ସଂସ୍କୃତ ହେଲା । ରାମାୟଣ-ବର୍ଣ୍ଣିତ ଏହି ଦୃଶ୍ୟ ମୁଁ ସ୍ୱୟଂ ଉପସ୍ଥିତ ଥାଇ ଦେଖିଥିଲି—ଆଜି ତାହା ନେତ୍ର ସମକ୍ଷରେ ଥରେ ଥରେ ଉଦ୍ଦୀପିତ ହୋଇଥାଏ ।

 

ବର୍ତ୍ତମାନ କନିକା ରାଜାବଂଶର ଗୌରବପ୍ରଦୀପ ରାଜା ରାଜେନ୍ଦ୍ରନାରାୟଣ ଭଞ୍ଜ ଦେବ-। ଉପଯୁକ୍ତ ଶିକ୍ଷା ଲାଭ କରି ଉତ୍କଳୀୟ ଭୂସ୍ୱାମିବର୍ଗରେ ବର୍ତ୍ତମାନ ଏ ଅଗ୍ରଣୀରୂପରେ ଦଣ୍ଡାୟମାନ-। ଉତ୍କଳ-ସମ୍ମିଳନୀର ସଭାପତି ରୂପେ, ବଙ୍ଗୀୟ ବ୍ୟବସ୍ଥାପକ ସଭାର ସଭ୍ୟରୂପେ, ବିଲାତ ପ୍ରତ୍ୟାଗତ ଅଭିଜ୍ଞ ଓ ବହୁଦର୍ଶିତାର ପ୍ରଣିଧିରୂପେ ଏ ଯେଉଁ ସୁଖ୍ୟାତି ଅର୍ଜନ କରିଅଛନ୍ତି, ତାହା ଦରିଦ୍ର ଉତ୍କଳ ପକ୍ଷରେ ଅମୂଲ୍ୟ । ବିଲାତରେ ବାରିଷ୍ଟର ହେବାକୁ ଯାଇ ସର୍ବପ୍ରଥମେ ସେହି ଶ୍ରେଣୀରେ ଶିକ୍ଷା କରିବା ସକାଶେ ଉତ୍କଳର ଏ ପଥପ୍ରଦର୍ଶକ । ବିଦ୍ୟା ସକାଶେ ଏ ବିଦ୍ୟା ଶିଖିଅଛନ୍ତି, ବ୍ୟବସାୟ ସକାଶେ ନୁହେ । ଏହାଙ୍କର ନିଜର ଉନ୍ନତି ଯଥେଷ୍ଟ ହୋଇଥିଲେହେଁ ଏ ଚିରକାଳ ଉନ୍ନତିପିପାସୁ । ସ୍ୱକୀୟ ଉନ୍ନତି ଉତ୍ତାରୁ ବର୍ତ୍ତମାନ ପରକୀୟ ଉନ୍ନତି-ବିଧାନର ପାଳି । ଉତ୍କଳ ଏହାଙ୍କଠାରୁ ପ୍ରଭୂତ ଆଶା କରେ ଏବଂ କରିବ ।

 

ଏହାଙ୍କ ସହଧର୍ମିଣୀ ନୟାଗଡ଼ର ଦାନଶୌଣ୍ଢ ପୁଣ୍ୟଶ୍ଳୋକ ୰ରାଜା ଲଡ଼ୁକେଶ ମାନଧାତାଙ୍କ କନ୍ୟା । ପିତୃ-ହୃଦୟବତ୍ତାର ଅଧିକାରିଣୀ ହୋଇ, ପୁତ୍ର କନ୍ୟାରେ ପରିବୃତା ହୋଇ ଏ ମହୋଦୟାଙ୍କ ଲଲାଟ-ସିନ୍ଦୂର ଅକ୍ଷୟ ହୋଇ ରହୁ, ମଙ୍ଗଳମୟଙ୍କ ନିକଟରେ ଏହାହିଁ ଐକାନ୍ତିକ ଭିକ୍ଷା ।

 

ରାଜମାତା ରାଣୀ ଶ୍ରୀମତୀ କୃଷ୍ଣପ୍ରିୟା ପାଟମହାଦେଈ ବର୍ତ୍ତମାନ ଶ୍ରୀକ୍ଷେତ୍ରବାସ କରୁଅଛନ୍ତି । ଏ ମହୋଦୟାଙ୍କ ହେତୁରୁ କନିକା ରାଜ୍ୟ ଏବଂ ରାଜବଂଶର ଏହି ଉନ୍ନତି, ଏହା ସମସ୍ତେ ମୁକ୍ତକଣ୍ଠରେ ସ୍ୱୀକାର କରିବେ । କୋର୍ଟ ଅଫ୍‌ ଓୟାର୍ଡ଼ସର ପରିଚାଳନ ସମୟରେ ଅବସ୍ଥା ବିପର୍ଯ୍ୟୟରେ ଜର୍ଜରିତ ହୋଇ ସୁଦ୍ଧା ସ୍ୱକର୍ତ୍ତବ୍ୟ ବିସ୍ମୃତ ନ ହୋଇ ଏ ଯାହା କରି ଯାଇଅଛନ୍ତି, ବର୍ତ୍ତମାନ ତାହାର ଫଳଭୋଗସ୍ୱରୂପ କନିକାର ଏହି ଉନ୍ନତି । ଯୁଗେ ଯୁଗେ ଏହି ଉନ୍ନତି ଉତ୍ତରୋତ୍ତର ବର୍ଦ୍ଧିତ ହେଉ ଏବଂ ଏହାଙ୍କ ପବିତ୍ର ଆଶୀର୍ବାଦ ରାଜବଂଶ ଉପରେ ବୃଷ୍ଟିଧାରା ତୁଲ୍ୟ ଅଜସ୍ର ପତିତ ହେଉ ।

Image